ଡିଲରଙ୍କ ଜୁଲମ ଓ ଘୋଟାଲା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

 

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତର ଅଧିବାସୀମାନେ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପଂଚାୟତ ପାଇଁ ନିଯୁକ୍ତ ଖାଉଟି ଡିଲର ପ୍ରଶାନ୍ତ କୁମାର ଜେନା ଉପଭୋକ୍ତାମାନଙ୍କୁ ଖାଉଟି ସାମଗ୍ରୀ ଯଥୋଚିତ ଭାବେ ଦେଉନଥିବା ସହ ଅସଦବ୍ୟବହାର କରୁଛନ୍ତି । ଏଥିସହିତ ଖାଉଟି ଡିଲର ଶ୍ରୀ ଜେନା ଖାଉଟିମାନଙ୍କୁ ଆବଶ୍ୟକ ପରିମାଣର ଖାଉଟି ସାମଗ୍ରୀ ନଦେଇ ବାରମ୍ବାର ଦୈାଡାଇବା ପରେ କମ ପରିମାଣର ଖାଉଟି ସାମଗ୍ରୀ ଦେବା ଓ କେତେକଙ୍କୁ ଜମା ଖାଉଟି ସାମଗ୍ରୀ ନଦେଇ ସେମାନଙ୍କୁ ଖାଉଟି ସାମଗ୍ରୀର ମୂଲ୍ୟ ବାବଦକୁ ନାମକୁ ମାତ୍ର କିଛି ଟଙ୍କା ଦେଇ ଖାତାରେ ସ୍ୱାକ୍ଷର କରାଇ ନେଉଥିବା ଭଳି ଅନେକ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଅଭିଯୋଗ ପାଇ ପୂର୍ବତନ ଜିଲ୍ଲାପାଳ ତାଙ୍କୁ ତାଗିଦ କରିଦେଇଥିଲେ ମଧ୍ୟ ତାହାର କୈାଣସି ପ୍ରଭାବ ଶ୍ରୀ ଜେନାଙ୍କ ଉପରେ ପଡିଥିବାର ଜଣାପଡୁନାହିଁ । ସେହି ଗ୍ରାମର ଅକ୍ଷୟ କୁମାର ମଳିକ ନାମକ ଜଣେ ଉପଭୋକ୍ତା ସୂଚନା ଅଧିକାର ଆଇନ -୨୦୦୫ ଅନୁଯାଇ ଏସମ୍ପର୍କରେ ତଥ୍ୟ ମାଗିବାରେ କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ତଥ୍ୟ ପ୍ରଦାନରେ ଅବହେଳା ପ୍ରଦର୍ଶନ କରିବା ସହିତ ଡିଲରଙ୍କ ସହ ଆପୋଷ ସମାଧାନ ନିମନ୍ତେ ଆବେଦନକାରୀ ଶ୍ରୀ ମଳିକଙ୍କୁ ପ୍ରସ୍ତାବ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ ୨୦୧୨ମସିହାରୁ ୨୦୧୭ମସିହା ପର୍ଯ୍ୟନ୍ତ ସେହି ଡିଲରଙ୍କ ଦ୍ୱାରା ଏ.ପି.ଏଲ.,ବି.ପି.ଏଲ. ଓ ଅନ୍ତୋଦ୍ୱୟ ଯୋଜନାର କାର୍ଡ ଗୁଡିକରେ ସଂପୃକ୍ତ ହିତାଧିକାରୀଙ୍କୁ ରାସନ ପ୍ରଦାନ କରାନଯାଇ ବ୍ୟାପକ ଅନୀୟମିତତା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେହି ଗ୍ରାମର ପାରେଶ୍ୱର ଦାସ ନାମକ ଜଣେ ଦଳିତ ବର୍ଗର ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଯିଏକି ଭିକ୍ଷାବୃତ୍ତିକରି ଚଳୁଥିଲେ ଗତ ବର୍ଷ ଅଭାବ ଅନାଟନ କାରଣରୁ ଆତ୍ମହତ୍ୟା କରି ସେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପତ୍ନୀ ସବିତା ଦାସଙ୍କ ନାମ ଅନ୍ତୋଦ୍ୱୟ ଯୋଜନାରେ ସାମିଲ ହୋଇ କାର୍ଡ ନମ୍ବର – ୧୭୦୪୧୦୧୧୦୦୬ ଇସୁ କରାଯାଇଥିବା ବେଳେ ସଂପୃକ୍ତ ଖାଉଟି ଡିଲର ଶ୍ରୀ ଜେନା ତାଙ୍କୁ ବି.ପି.ଏଲ.କାର୍ଡର ରାସନ ସାମଗ୍ରୀ ଦେଉଛନ୍ତି । ଅର୍ଥାତ ଅନ୍ତୋଦ୍ୱୟ କାର୍ଡରେ ମାସକୁ ୩୫କିଲୋଗ୍ରାମ ରାସନ ମିଳିବା ଯାଗାରେ ତାଙ୍କୁ ମାତ୍ର ୧୫କିଲୋଗ୍ରାମ ରାସନ ପ୍ରଦାନ କରାଯାଉଛି ଯାହା ସବିତାଙ୍କ ରାସନକାର୍ଡରେ ଡିଲର ଲେଖିଥିବା ତଥ୍ୟରୁ ଜଣାପଡିଛି । ସବିତା ଜଣେ ଦଳିତ ବର୍ଗର ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ବେଳେ ତାଙ୍କର ଗୋଟିଏ ଝିଅ ଏବଂ ୨ଟି ପୁଅ ଅଛନ୍ତି । ସ୍ଥାନୀୟ ଲୋକେ ସବିତାଙ୍କ ଚିକିତ୍ସା ନିମନ୍ତେ ସହାୟତା ଦେଉଥିବା ବେଳେ ଡିଲର ଶ୍ରୀ ଜେନା ଜଣେ ଏଭଳି ଦଳିତ ଗରୀବ ରୋଗଗ୍ରସ୍ତ ବିଧବା ନିରାସ୍ରୟ ମହିଳାଙ୍କ ପ୍ରତି ଅନ୍ୟାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ସଂପୃକ୍ତ ଡିଲରଙ୍କ ଦ୍ୱାରା ଏଭଳି ଅନେକ ଘୋଟାଲା ହୋଇଥିବା ଏବଂ କରୋନା ମହାମାରୀ ସମୟରେ ଖାଉଟିଙ୍କ ପ୍ରତି ହୋଇଥିବା ଅନ୍ୟାୟର ନିରପେକ୍ଷ ଓ ବିଧିବଦ୍ଧ ତଦନ୍ତ କରାଯିବାକୁ ପଂଚାୟତବାସୀ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ନିବେଦନ କରିଛନ୍ତି । ପଂଚାୟତବାସୀଙ୍କ ପକ୍ଷରୁ ମନିସ କୁମାର ଦାସ, ଦେବଦତ୍ତ ଜେନା, ଅଲେଖ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ଦାସ, ବିକାଶ ମଳିକ, ଆର୍ତ୍ତବନ୍ଧୁ ମଳିକ, ଅଜିତ ମଳିକ, କଳ୍ପତରୁ ମଳିକ, ନରେଶ ମଳିକ, ଶ୍ରୀଚରଣ ମଳିକ, ହେମନ୍ତ କୁମାର ମଳିକ, ସମ୍ବିତ ଜେନାକଳ୍ପନା ମଳିକ, ବେବିନା ମଳିକ, ସବିତା ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ