ବିଦ୍ୟାଳୟରେ ବାହାର ଯୁବକଙ୍କ ଦୌରାତ୍ମ୍ୟ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ଥିବା ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ପଶି ବାହାର ଯୁବକଙ୍କ ବିଶୃଙ୍ଖଳିତ କାର୍ୟ୍ୟ କରିବା ଘଟଣାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଗତ ୨୩ତାରିଖ ଦିନ ହଦଗଡର ପୁର୍ବତନ ସରପଞ୍ଚ ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ପଶି ଛାତ୍ରଛାତ୍ରୀ ମାନଙ୍କୁ ଆପତ୍ତି ଜନକ ପ୍ରଶ୍ନ ପଚାରି ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନ କରି ପରେ ଏହାକୁ ଭାଇରାଲ କରିଥିଲେ । ନିଜର ସ୍ୱାର୍ଥ ହାସଲ କରିବାପାଇଁ ସେ ଏହି ଫଟୋଚିତ୍ର ଓ ଭିଡିଓକୁ ଭାଇରାଲ କରି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିବା ଏହି ବିଦ୍ୟାଳୟଟିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗତକାଲି ଅନୁଷ୍ଠିତ ସ୍କୁଲ କମିଟି ବୈଠକରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତି ନିଆଯାଇଛି । ଚେୟାରମ୍ୟାନ ଚକ୍ରଧର ହୋ, ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ, ଅବଳା ନାୟକ, ପାଗଳ ନାୟକ, ଲଦର ହୋ, ସୁରେଶ ନାୟକ, ସୁରୁ ମହାକୁଡ, ସୁରୁ ହୋ, ଜୟରାମ ମହାକୁଡ, ଲକ୍ଷ୍ମୀ ନାରାୟଣ ନାୟକ, ପଦ୍ମିନୀ ନାୟକ, ଦୁର୍ଗାପ୍ରସାଦ କର, ଚାନ୍ଦୁ ହୋ, ନାଇକି ହୋ, ପାଣ୍ଡା ହୋ, ତୁରାମ ସିଂ ବଦରା, କାଳନ୍ଦୀ ନାୟକ, ଅଙ୍କୁରା ହୋ, ଜାମ୍ବି ପୁର୍ତ୍ତି, ସନୁ ଗିରି, ବାଗୁନ ହୋ, ମେଙ୍କ ପ୍ରଧାନ, ବୁଡେନ ସିଂ ହୋ, ମାଣିକ ସିଂ ହୋଙ୍କ ସମେତ ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିରୁ ବହିସ୍କୃତ ହୋଇଥିବା ପୁର୍ବତନ ସଭାପତି ରବିନ୍ଦ୍ର କୁମାର ଦେହୁରୀ ସ୍କୁଲକୁ ବଦନାମ କରିବାକୁ ଷଡଯନ୍ତ୍ର କରି ବାହାର ଯୁବକ ମାନଙ୍କ ଦ୍ୱାରା ସ୍କୁଲ ବିରୁଦ୍ଧରେ ଏପରି ଅନେକ କ୍ଷତି କରିବାକୁ ଲାଗି ପଡିଛନ୍ତି । ରାଜନୈତିକ ଚାପ ପ୍ରୟୋଗ କରି ପ୍ରଧାନ ଶିକ୍ଷକଙ୍କୁ ବଦଳି କରାଇ ପୁନର୍ବାର ପରିଚାଳନା କମିଟିର ସଭାପତି ହେବାକୁ ଶ୍ରୀ ଦେହୁରୀଙ୍କ ଏପରି ଅପଚେଷ୍ଟାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦୃଢ଼ ବିରୋଧ କରିଛନ୍ତି । ଭବିଷ୍ୟତରେ ସ୍କୁଲରେ ଯଦି କୌଣସି କ୍ଷତି ପହଞ୍ଚେ ତେବେ ଆଦିବାସୀମାନେ ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ।


