ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ
ଯାଜପୁର : ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ ଆରମ୍ଭ ହୋଇଯାଇଛି । ଜିଲା ପରିବହନ ବିଭାଗ ପକ୍ଷରୁ ପୁଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଗାଡିର ପିଂଟ୍ନେସ, ସିଟବେଲ୍ଟ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଂଚ କରାଯାଉଛି । ଜୁନିୟର ଏମଭିଆଇ ବସନ୍ତ କୁମାର ସେନାପତିଙ୍କ ନେତୃତ୍ୟରେ ପରିବହନ ବିଭାଗ,ପୋଲିସ ପକ୍ଷରୁ ଏହି ଧରପକଡ ଜାରି ରହିଛି । ଏଥି ସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି । ସେହିପରି ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ ଗୁଡିକ ପାଣିକୋଇଲି ଦେଇ ଯାଉନଥିବା ଗାଡିକୁ ତନଖି କରାଯାଇଥିଲା । ସେମାନଙ୍କୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଧେଶ ଦିଆଯିଆ ଯାଇଥିଲା । ଏଥି ସହିତ ବିଭିନ୍ନ ସୁରକ୍ଷା ଆଇନ ମାନୁନଥିବା ୩୧ ଗାଡି ଚାଳକଙ୍କ ଠାରୁ ମୋଟ ୧ଲକ୍ଷ ୨୩ ହଜାର ୬୪୪ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଭଳି ନିୟମିତ ଯାଂଚ କଲେ ବେପରୁଆ ଗାଡିଚାଳକ ମାନେ ସାବଧାନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।