ଉଡ଼ି ଉଡ଼ି ପାରହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍ । ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍ କରିଥାଏ । ଏହି ଇଂଲିଶ ଚ୍ୟାନେଲ୍କୁ ପାର ହେବା ବହୁତ କଷ୍ଟକର । ଯଦିଓ ଅନେକ ଲୋକ ପହଁରି ଇଂଲିଶ ଚ୍ୟାନେଲ ପାର ହୋଇଛନ୍ତି । ହେଲେ ପ୍ରଥମ ଥର ପାଇଁ ଜଣେ ୩୫ କି.ମି. ଲମ୍ବ ଇଂଲିଶ ଚ୍ୟାନେଲକୁ ଉଡ଼ି ଉଡ଼ି ପାର ହୋଇଛନ୍ତି । ଫ୍ରାନ୍ସ ଆବିଷ୍କାରକ ଜପାଟା ନିଜେ ତିଆରି କରିଥିବା ଜେଟ୍ ସଞ୍ଚାଳିତ ହୋଭରବୋର୍ଡ(ଫ୍ଲାଇବୋର୍ଡ)ରେ ଉଡି ଉଡି ଇଂଲିଶ ଚ୍ୟାନେଲ୍ ପାର୍ ହେବାରେ ସଫଳ ହୋଇଛନ୍ତି । ଫଳରେ ହୋଭରବୋର୍ଡ ସାହାଯ୍ୟରେ ଏଭଳି କାର୍ନାମା କରିଥିବା ପୃଥିବୀର ସେ ପ୍ରଥମ ଆବିଷ୍କାରକ ପାଲଟିଗଲେ । ୪୦ ବର୍ଷୀୟ ଫ୍ରାଙ୍କି ଜପାଟା ଫ୍ରାନ୍ସର ସଙ୍ଗେଟ୍ରୁ ଉଡ଼ାଣ ଆରମ୍ଭ କରିଥିଲେ । ଇଂଲିଶ ଚ୍ୟାନେଲ୍ ପାର୍ ହୋଇ ଡୋଭର୍ର ସେଣ୍ଟ ମାର୍ଗାରେଟ୍ ବିଚ୍ରେ ଓହ୍ଲାଇଥିଲେ । ଘଣ୍ଟାକୁ ୧୭୦ କି.ମି. ବେଗ ପର୍ଯ୍ୟନ୍ତ ସେ ଉଡ଼ିଥିଲେ । ଏହାପୂର୍ବରୁ ବି ସେ ଇଂଲିଶ ଚ୍ୟାନେଲ୍କୁ ଏହିଭଳି ଭାବେ ପାର କରିବାକୁ ପ୍ରୟାସ କରିଥିଲେ । ହେଲେ ଇନ୍ଧନ ଶେଷ ହେବା ଓ ତାକୁ ପୁନଃ ରିଫିଲ୍ କରିବାରେ ଅସୁବିଧା ସୃଷ୍ଟି ହେବା ଯୋଗୁ ସେ ସମୁଦ୍ରରେ ପଡିଯାଇଥିଲେ । କିନ୍ତୁ ଏଥର ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ତଥା ପୂର୍ବର ତ୍ରୁଟି ସୁଧାରି ଉଡ଼ିବା ଆରମ୍ଭ କରିଥିଲେ । ତାଙ୍କ ସୁରକ୍ଷା ପାଇଁ ଏକ ବଡ଼ ଡଙ୍ଗା ସହ ତିନୋଟି ହେଲିକପ୍ଟର ବ୍ୟବହାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ