ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ରାତିରେ ବନ୍ତ ଥାନା ଅଧିନ ପଧାନପଡା ଗ୍ରାମରେ ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ପଧାନପଡା ଗ୍ରାମର ଅନୱାର ଅଲ୍ଲୀଙ୍କ ଭଡା ଘରେ ଏକ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଆଇଆଇସି ମିନା ବିନ୍ଧାଣୀଙ୍କ ନେତୃତ୍ୱରେ ଗଠିତ ପୋଲିସ ଟିମ୍ ଉକ୍ତ ନକଲି କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବହୁ ପରିମାଣରେ ନକଲି ଜର୍ଦ୍ଦା ମସଲା, ରାସାୟନିକ ସାମଗ୍ରୀ, ଦୁଇଟି ସିଲ୍ ମେସିନ୍, ୨ ବସ୍ତା ଖୋଲା ଜର୍ଦ୍ଦା ଡବା ଓ ପ୍ରାୟ ୧୦୦ ପେଟିରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ କରାଯାଇଛି । ଅପରପକ୍ଷେ ଚଢାଉ ବେଳେ ନକଲି କାରଖାନାର ମାଲିକ ଖସି ପଳାଇଥିବା ବେଳେ ଘର ମାଲିକକୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିଛି । ସଂପୃକ୍ତ କାରଖାନାର ମାଲିକର ଘର ଭଦ୍ରକ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଏ.ଏସ୍.ଆଇ.ସେକ୍ ମୁଜିବୁର୍ ରହେମନ୍ଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୯୭/୨୦ ମୂଳେ ମାମଲା ରୁଜ୍ଜୁ କରିଛି । ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ଆଇଆଇସି ମିନା ବିନ୍ଧାଣୀ ରହିଥିବା ଜଣାଯାଇଛି ।


