କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ସମୂହକୁ ୩ କୋଟିରୁ ଅଧିକ ଏନ-୯୫ ମାସ୍କ ଯୋଗାଇ ଦିଆଯାଇଛି
ନୂଆ ଦିଲ୍ଲୀ:କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଚିକିତ୍ସା ବ୍ୟବସ୍ଥା ସୁବିଧା ଯୋଗାଣ ସହ କେନ୍ଦ୍ର ସରକାର ମଧ୍ୟ ମାଗଣାରେ ରାଜ୍ୟମାନଙ୍କୁ ଡାକ୍ତରୀ ସାମଗ୍ରୀ ଓ ଉପକରଣ ଯୋଗାଇ ଦେଉଛନ୍ତି । କେନ୍ଦ୍ର ଦ୍ୱାରା ଯେଉଁସବୁ ସାମଗ୍ରୀ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବରୁ ଦେଶରେ ଉତ୍ପାଦିତ ହେଉ ନ ଥିଲା । ଆହୁରି ମଧ୍ୟ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ଫଳରେ ଏସବୁ ସାମଗ୍ରୀର ଗୁରୁତର ଅଭାବ ପରିଲକ୍ଷିତ ହେଉଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ, ଭେଷଜ ମନ୍ତ୍ରଣାଳୟ, ଡିପିଆଇଆଇଟି, ଡିଆରଡିଓ ଏବଂ ଆଉ କେତେକ ଘରୋଇ ଉଦ୍ୟୋଗର ମିଳିତ ସହାଯୋଗରେ ଭାରତ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନରେ ସଫଳତା ଲାଭ କରି ଏକ ପ୍ରକାର ଆତ୍ମନିର୍ଭରଶୀଳ ହୋଇଛି । ପିପିଇ, ଏନ୍-୯୫ ମାସ୍କ, ଭେଣ୍ଟିଲେଟର ଆଦି କ୍ଷେତ୍ରରେ ଭାରତ ଇତିମଧ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଆତ୍ମନିର୍ଭର ଭାରତ ଯୋଜନା ଓ ମେକ୍ ଇନ୍ ଇଣ୍ଡିଆ କାର୍ୟ୍ୟକ୍ରମ ଯୋଗୁଁ ଭାରତ ଏ କ୍ଷେତ୍ରରେ ସଫଳତା ପାଇଛି । ଚଳିତବର୍ଷ ମାର୍ଚ୍ଚ ୧୧ ତାରିଖଠାରୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନକୁ ୩.୦୪ କୋଟି ଏନ୍-୯୫ ମାସ୍କ, ୧.୨୮ କୋଟି ପିପିଇ କିଟ୍ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ଏହାଛଡା ସେମାନଙ୍କୁ ମଧ୍ୟ ୧୦.୮୩ କୋଟିରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ ବା ଏଚ୍ସିକ୍ୟୁ ଟାବଲେଟ ମାଗଣାରେ ଦିଆଯାଇଛି ।
ଏହା ସହିତ ସଂପୃକ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ୨୨,୫୩୩ ମେକ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର ମଧ୍ୟ ଦିଆଯାଇଛି । ଏସବୁର ବ୍ୟବହାର ଓ ସ୍ଥାପନ କାର୍ୟ୍ୟରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି ।
କୋଭିଡ୍ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।


