ଇଂଲିଶ ନାଁ ଓଡ଼ିଆ ଗାଁ

ଗ୍ରାମ୍ୟ ସଂସ୍କୃତିକୁ ନେଇ ସମୃଦ୍ଧ ଓଡ଼ିଶାର ସଂସ୍କୃତି । ଆଉ ପ୍ରତ୍ୟେକ ଗାଁର ପରମ୍ପରା ଓ ସଂସ୍କୃତିରେ ରହିଛି ସ୍ୱତନ୍ତ୍ରତା । ତେବେ ସବୁଠୁ ଆଶ୍ଚର୍ଯ୍ୟ କରେ ଗାଁର ନାମକରଣ । କାରଣ ପ୍ରତ୍ୟେକ ଗାଁର ନାଁ ପଛରେ ରହିଛି କିଛି କଥା ଓ କାହାଣୀ । ସେ କାହାଣୀ ପଛରେ କେବେ ମନ୍ଦିର କି ଗ୍ରାମଦେବତୀ ଥାଆନ୍ତି ତ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ନାଁ ବା କିଛି ଘଟଣା ବା ଦୁର୍ଘଟଣାର ସ୍ମୃତି । ସେମିତି କିଛି ଗାଁ ଓ ଗଳି ଅଛି ଯାହାର ନାଁ ରହିଛି ଇଂଲିଶରେ । ଏଠାକାର ପରିବେଶ, ଚାଲିଚଳନ, ସଂସ୍କୃତି ସବୁ କିଛି ଓଡ଼ିଆ କିନ୍ତୁ କେବଳ ନାଁ ହିଁ ଇଂଲିଶ । ତେବେ କ’ଣ ରହିଛି ଏହା ପଛର ରହସ୍ୟ, ଚାଲନ୍ତୁ ଜାଣିବା ।

ସ୍କଟଲାଣ୍ଡପୁର:

କଳାହୀରାର ସହର ତାଳଚେରଠାରୁ ମାତ୍ର ୫ କି.ମି ଦୂରରେ ସ୍କଟ୍ଲାଣ୍ଡପୁର ଗାଁ । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଧର୍ମପୁର ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ରହିଛି ଏହି ଗାଁ । ଏହା ମଧ୍ୟରେ ରହିଛି ୨୬ ହେକ୍ଟର ପରିମିତ ଜମିରେ ତାଳଚେର ରାଜାଙ୍କ ରାଜପ୍ରାସାଦ । ଏହି ଗାଁରେ ପାଖାପାଖି ୧୦୦ ପରିବାର ବସବାସ କରୁଥିବାବେଳେ ଲୋକସଂଖ୍ୟା ୫ଶହରୁ ଅଧିକ ହେବ । ସମସ୍ତେ ଚାଷୀ, ଦିନମଜୁରିଆ । ଅଧିକାଂଶ ପରିବାର ହରିଜନ ସଂପ୍ରଦାୟର । ଏବେ ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି । ପ୍ରାଥମିକ ସ୍କୁଲ ଏବଂ ଏକ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି । ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏକ ପାନୀୟଜଳ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଇଛିି । ଦେଖିବାକୁ ଗଲେ ଆଗ ଅପେକ୍ଷା ଏବେ ଗ୍ରାମର ଛବି ବଦଳିଯାଇଛି ।

ନାଁ ପଛର କାହାଣୀ:

ତାଳଚେର ମହାରାଜ କିଶୋର ଚନ୍ଦ୍ର ଦେବହରିଚନ୍ଦନ ବୀରବୀରଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ହୃଦୟଚନ୍ଦ୍ର ଦେବ, ପ୍ରମୋଦଚନ୍ଦ୍ର ଦେବ ଓ ଝିଅ ସୁଚାରୁ ମାଳୀ ଦେବୀ । ହୃଦୟଚନ୍ଦ୍ର ରାଜବାଟୀରେ ରହିଲେ ଏବଂ ପ୍ରମୋଦ ଚନ୍ଦ୍ର ଦେବଙ୍କ ନିମନ୍ତେ ସହରଠାରୁ କିଛି ଦୂରରେ ଏକ ପ୍ରମୋଦ ପ୍ରାସାଦ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ପ୍ରାସାଦ ତାଙ୍କୁ ଭଲ ଲାଗି ନ ଥିଲା । ଦିନେ ହେଲେ ସେ ସେଠାରେ ରହି ନ ଥିଲେ । ଏହାକୁ ଷ୍ଟେଟ ଗେଷ୍ଟହାଉସ କରି ଦିଆଯାଇଥିଲା । ସ୍କଟ୍ଲାଣ୍ଡପୁର ଅଞ୍ଚଳରେ ୧୦ଏକର ଜମି ଉପରେ ରାଜା ଏକ ନୂତନ ଉଆସ ନିର୍ମାଣ କଲେ, ଯେଉଁଠାରେ ଏବେ ରାଜାଙ୍କର ପରବର୍ତ୍ତୀ ବଂଶଧର ରହୁଛନ୍ତି । ୧୯୩୦ରେ ବଣପାହାଡ ଘେରା ପରିବେଶ ମଧ୍ୟରେ ଯେତେବେଳେ ଏହି ପ୍ରାସାଦ ନିର୍ମାଣ ହେଲା ସେତେବେଳେ ଏହି ଗେଷ୍ଟହାଉସକୁ ବିିଭିନ୍ନ ରାଜନେତାମାନେ ଆସି ରହୁଥିଲେ । ସେମାନେ ଏହି ଘର ଦେଖିବା ପରେ ରାଜାଙ୍କୁ କହିଲେ ଏହା ସ୍କଟଲାଣ୍ଡ ଭଳି ହୋଇଛି । ଏ ଭିତରେ ଥରେ ରାଜା ପ୍ରମୋଦଚନ୍ଦ୍ର ଦେବ ସ୍କଟଲାଣ୍ଡ ବୁଲିବାକୁ ଯାଇଥିଲେ । ସେଠାକାର ପରିବେଶ ଭଲଲାଗିବାରୁ ସେଠାରେ ସେ କିଛି ଦିନ ଅବସ୍ଥାନ କରିଥିଲେ । ସେଠାରୁ ଫେରିବା ପରେ ରାଜା ନିଜ ଅଞ୍ଚଳର ନାଁ ଦେଲେ ସ୍କଟଲାଣ୍ଡପୁର ଓ ପ୍ରାସାଦର ନାଁ ଦେଲେ ସ୍କଟଲାଣ୍ଡପୁର ପ୍ରାସାଦ । ଏହାକୁ ସେ ସ୍କଟଲାଣ୍ଡ ପରି ସୁନ୍ଦର ଭାବେ ଗଢ଼ିବାକୁ ଚାହୁଁଥିଲେ । ପ୍ରଥମେ ରାଜପ୍ରାସାଦ ଗଢ଼ିଉଠିଲା ଓ ପରେ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆଣି ଜନବସତି ସ୍ଥାପନ କରାଗଲା । ରାଜାଙ୍କର ଦୈନନ୍ଦିନ କାମ ନିମନ୍ତେ ପ୍ରାସାଦ ନିକଟରେ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆଣି ଏକ ଛୋଟ ଜନବସତି ସ୍ଥାପନ ମଧ୍ୟ କରାଇଥିଲେ । ପ୍ରଥମେ ୨୦ରୁ ୩୦ଟି ପରିବାର ଥିଲେ । ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ଶହେରେ ପହଞ୍ଚିଲାଣି । ଏବେ ଗାଁର କିଛି ଲୋକ ଚାକିରିଆ ଥିବା ବେଳେ ଆଉ କିଛି ଚାଷୀ । ତେବେ ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ । ଏବେ ରାଜପ୍ରାସାଦରେ ପ୍ରମୋଦ ଚନ୍ଦ୍ର ଦେବଙ୍କର ଦୁଇ ନାତି ଅଖିଳ ଚନ୍ଦ୍ର ଦେବ ଓ ଶରତ ଚନ୍ଦ୍ରଦେବ ଏଠାରେ ନିଜର ପରିବାର ସହ ରହୁଛନ୍ତି ।

ଶରତ ଚନ୍ଦ୍ର ଦେବ କୁହନ୍ତି, ମୋ ଜେଜେଙ୍କୁ ସେତେବେଳର ରାଜନେତାମାନେ ଘରଟି ସ୍କଟଲାଣ୍ଡ ଭଳି ଦେଖାଯାଉଛି ଓ ଏହାର ନାମ ସ୍କଟଲାଣ୍ଡ ଦେବାକୁ କହିଥିଲେ । ପରେ ଜେଜେ ସ୍କଟଲାଣ୍ଡ ବୁଲିବାକୁ ଯାଇଥିଲେ । ଫେରିବା ପରେ ଏହାର ନାମ ଦେଲେ ସ୍କଟଲାଣ୍ଡପୁର ପ୍ରାସାଦ । ସ୍କଟଲାଣ୍ଡ ଅର୍ଥ ହେଉଛି ଏକ ବଡ ଘର ଚାରିପଟେ ଛୋଟ ଛୋଟ ପାହାଡ । ଏହି ଗାଁରେ ରହୁଥିବା ଜଣେ ଗ୍ରାମବାସୀ ଡିଲେଶ୍ୱର ସାହୁ କୁହନ୍ତି, ରାଜାଙ୍କ ପ୍ରାସାଦର ନାମ ଅନୁସାରେ ଏହାର ନାମ ସ୍କଟଲାଣ୍ଡପୁର ରହିଛି । ଏଠାରେ ଆମର କୌଣସି ଅସୁବିଧା ନାହିଁ । ସମସ୍ତ ସରକାରୀ କାଗଜପତ୍ରରେ ଏହି ନାଁ ରହିଛି । ରାଜପ୍ରାସାଦ ହେବା ପରେ ରାଜା ଲୋକଙ୍କୁ ଆଣି ଏଠାରେ ରଖିଥିଲେ । ସେହିଦିନଠାରୁ ଏହି ଗାଁ ରହି ଆସିଛି । ଆଗରୁ ଗାଁକୁ ପକ୍କାରାସ୍ତା ନଥିଲା, ଯିବା ଆସିବାରେ ଅସୁବିଧା ହେଉଥିଲା । ଏବେ ପକ୍କା ରାସ୍ତା ଯୋଗୁ ଯିବା ଆସିବାରେ ଆଉ ଅସୁବିଧା ହେଉ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ