୭୪ତମ ଗଜପତି ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳିତ
ପ୍ଲାଜମା ଦାନ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଳ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ଉତ୍ସବରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶ ସ୍ୱାଧୀନତା ପାଇଁ ଜୀବନକୁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ସ୍ମୃତିଚାରଣ କରିବା ସହ ଦେଶ ସ୍ୱାଧୀନତାରେ ପାରଳା ରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ବର୍ତ୍ତମାନର ଭୟଙ୍କର କରୋନା ସଂକ୍ରମଣର ସଠିକ୍ ମୁକାବିଲା ରାଜ୍ୟ ସରକାର କରି ଆସୁଛନ୍ତି । ଏଥିରେ କୌଣସି ବ୍ୟକ୍ତି ଆତଙ୍କିତ ନ ହୋଇ ସରକାରୀ ସହାୟତାରେ ନିଜ ନିଜକୁ ସୁରକ୍ଷିତ ରଖନ୍ତୁ । କରୋନାରେ ସୁସ୍ଥ ହୋଇଥିବା ଲୋକେ ଅନ୍ୟ ରୋଗୀର ଅମୁଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରନ୍ତୁ ବୋଲି ମନ୍ତ୍ରୀ ଆହ୍ୱାନ ଦେଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିଥିଲେ ।


