ମହାମାରୀ ଦେଶ ପାଇଁ ମଜବୁତ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ସୁଯୋଗ ଦେଇଛି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆଜି ଦୁଇ ଦିନିଆ ଭାରତୀୟ ଶିଳ୍ପ ମହାସଂଘ ଜନସ୍ୱାସ୍ଥ୍ୟ ଭର୍ଚୁଆଲ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡଃ ବିନୋଦ କୁମାର ପାଲ ମଧ୍ୟ ଏଥିରେ ଯୋଗଦେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟସେବା ଉପରେ ଏକ ଭର୍ଚୁଆଲ ପ୍ରଦର୍ଶନୀ ଓ ମହାସଂଘର ରାଜଯକ୍ଷ୍ମା ମୁକ୍ତ ଅଞ୍ଚଳ ଅଭିଯାନ ତଥା ମହାସଂଘର ଜନସ୍ୱାସ୍ଥ୍ୟ ରିପୋର୍ଟ ମଧ୍ୟ ଉନ୍ମୋଚିତ ହୋଇଛି । କୋଭିଡ ବୈଶ୍ଵିକ ମହାମାରୀ ସତ୍ଵେ ଏହିଭଳି ଏକ ସମ୍ମିଳନୀର ଆୟୋଜନ କରିଥିବାରୁ ମହାସଂଘକୁ ଧନ୍ୟବାଦ ଜଣାଇବା ସହ ଅନ୍ୟମାନଙ୍କୁ ମନେପକାଇ ଦେଇଥିଲେ ଯେ, “ଏହି ବୈଶ୍ଵିକ ମହାମାରୀ ଆମର ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୃଦୃଢ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛି” । ଏଭଳି ଅଭିନବ ରୋଗର ମୁକାବିଲାରେ ଦେଶର ସଫଳତାର ଦୃଷ୍ଟାନ୍ତ ଦେଇ ସେ କହିଛନ୍ତି ଯେ, ଆମ ଦେଶ ସରକାରୀ ଯୋଜନାଗୁଡିକୁ ଏକ ବୃହତ ଜନନ୍ଦୋଳନରେ ପରିଣତ କରିପାରିଛି । ଉଦାହରଣ ସ୍ୱରୂପ ସମଗ୍ର ବିଶ୍ଵର ଶତକଡା ୬୦ ଭାଗ ପୋଲିଓ ଏବଂ ବସନ୍ତ ରୋଗ ଭାରତରେ ଥିବା ବେଳେ ଏହାକୁ ଦେଶରୁ ସଂପୂର୍ଣ୍ଣ ନିରାକରଣ କରିବାରେ ଦେଶ ସଫଳ ହୋଇଛି । ଆଗାମୀ ୨୦୨୫ ସୁଦ୍ଧା ଦେଶରୁ ରାଜଯକ୍ଷ୍ମାକୁ ମୂଳୋପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟପୂରଣ ଭାରତ ଶିଳ୍ପ ମହାସଂଘର ନେତୃତ୍ଵରେ ସମ୍ଭବ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିବା ବେଳେ ନିଜର ଅଭିଜ୍ଞତାର ସ୍ମୃତିଚାରଣ କରି ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ସ୍ୱଳ୍ପ ଆର୍ଥିକ ସମ୍ବଳ ସତ୍ଵେ ସେ ପୋଲିଓ ଉତ୍ପାଟନ ଅଭିଯାନ ଆରମ୍ଭ କରିଥିଲେ ଓ ଅନେକ ବଡ ବଡ ଶିଳ୍ପଦ୍ୟୋଗୀଙ୍କ ଉତ୍ସାହ ଓ ସାହାଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା । ଏବେ ମଧ୍ୟ ରାଜଯକ୍ଷ୍ମାକୁ ବିଲୋପ କରିବା ପାଇଁ ଅନୁରୂପ ଉତ୍ସାହ ଓ ଅଙ୍ଗୀକାରବଦ୍ଧତା ସେମାନଙ୍କ ମଧ୍ୟରେ ଦେଖାଦେଇଛି ବୋଲି ସେ କହିଥିଲେ । କାର୍ଯ୍ୟସ୍ଥଳୀଗୁଡିକୁ ଟିବି ମୁକ୍ତ କରିବା ନେଇ ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଭାରତରେ ବର୍ତ୍ତମାନ ପ୍ରାୟ ୨୬.୪୦ଲକ୍ଷ ଟିବି ମାମଲା ରହିଛି, ଯାହାକି ବିଶ୍ଵରେ ସର୍ବାଧିକ । ଜୀବନ, ଅର୍ଥ ଓ ଶ୍ରମଶକ୍ତି ନଷ୍ଟ ଭଳି ଆର୍ଥିକ ବୋଝ ମଧ୍ୟ ଏହାଯୋଗୁଣ ସୃଷ୍ଟି ହେଉଛି ଓ ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ଲୋକମାନେ ଏହାର ଶିକାର ହେଉଛନ୍ତି । ସେ କହିଥିଲେ ଯେ, ଏହାର ନିରାକରଣ ପାଇଁ ଗତ ୫ବର୍ଷ ମଧ୍ୟରେ ସରକାର ଅର୍ଥର ପରିମାଣକୁ ୪ଗୁଣା ବୃଦ୍ଧି କରିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ଵ ନେବା ପରଠାରୁ ଟିବି ରୋଗୀମାନଙ୍କର ଚିହ୍ନଟ ପାଇଁ ବ୍ୟାପକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଯକ୍ଷ୍ମା ରୋଗୀଙ୍କ ଉପଚାର ଖର୍ଚ୍ଚ ସରକାର ବହନ କରୁଥିବା ବେଳେ ଟିବି ମାମଲା ଲୋକଲୋଚନାକୁ ଆଣୁଥିବା ଡାକ୍ତରମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସରକାର ଆୟୁଷ୍ମାନ ଭାରତ ଜରିଆରେ ଯେଉଁ ପଦକ୍ଷେପମାନ ନେଇଛନ୍ତି ତାହା କଳା ଜ୍ଵର ଓ କୁଷ୍ଠ ଇତ୍ୟାଦିକୁ ନିରାକରଣ କରିବା ସହ ମାତୃ ମୃତ୍ୟୁହାର ଶୂନ୍ୟ ସ୍ତରକୁ ନେଇଆସିବେ ବୋଲି ସେ ଦୃଢତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକ୍ରମେ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିବା ସ୍ଵାସ୍ଥ୍ୟସେବା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ବୋଲି ଅଶ୍ଵିନୀ କୁମାର ଚୌବେ କହିଥିଲେ । ଦେଶରେ ଟେଲି ମେଡ଼ିସିନର ବ୍ୟାପକ ପ୍ରୟୋଗ ଯୋଗୁଁ ଇ-ସଞ୍ଜିବନୀ ଟେଲି ପରାମର୍ଶ ଜରିଆରେ ୧.୫ଲକ୍ଷ ପର୍ଯ୍ୟନ୍ତ ହୋଇଥିବା ପରାମର୍ଶ ଏକ ବିରାଟ ସଫଳତା ବୋଲି ସେ କହିଥିଲେ । ଭାରତୀୟ ଶିଳ୍ପ ମହାସଂଘର ଜନସ୍ୱାସ୍ଥ୍ୟ ପରିଷଦ ଅଧ୍ୟକ୍ଷ ତଥା ଏମ୍ସର ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ, ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ମଧ୍ୟ ଏଥିରେ ଡିଜିଟାଲି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ