ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ବଣିକ ସଂଘର ସରପଞ୍ଚଙ୍କୁ ଦାବୀ ପତ୍ର ପ୍ରଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକର ସାରଙ୍ଗଡ ପଞ୍ଚାୟତର ବଜାର ଓ ସାଧାରଣ ଜୀବନ ଯାତ୍ରାକୁ ସ୍ୱଭାବିକ କରିବା ନିମନ୍ତେ ସରପଞ୍ଚକୁ ଦେଲେ ଦାବୀପତ୍ର। ସାରଙ୍ଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ପ୍ରଶାସନ ତରଫରୁ କିଛି ଅଞ୍ଚଳକୁ ଦୀର୍ଘ ୨୮ ଦିନ ଧରି କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଥିଲା। ଫଳରେ ସାରଙ୍ଗଡ ବଜାର ଅଞ୍ଚଳର ଛୋଟମୋଟ ବ୍ୟବସାୟୀ ମାନେ ବେଶ ପ୍ରଭାବିତ ହୋଇଥିଲେ। ୨୮ ଦିନ କଣ୍ଟେନ୍ମେଣ୍ଟ ରହିବା ପରେ ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ସାରଙ୍ଗଡ ବଜାର ଖୋଲିଥିଲା। ଯାହାଫଳରେ ଏହି ଅଞ୍ଚଳର ଜନସାଧାରଣଙ୍କ ଜୀବନଯାତ୍ରା ସ୍ୱଭାବିକ ହୋଇଥିଲା। କିନ୍ତୁ ପୁଣି ସାରଙ୍ଗଡ ବଜାରରେ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରସାସନ ତରଫରୁ ସାରଙ୍ଗଡର ବଜାରକୁ ପୁଣି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏହି ଘୋଷଣା କରିବା ପରେ ସାରଙ୍ଗଡ ବଣିକ ସଂଘର ସଭାପତି କେଶବ ସାହୁଙ୍କ ନେତୃତ୍ୱରେ କରୋନା ନିୟମାବଳିକୁ ମାନି ବଣିକ ସଂଘ ଏକତ୍ରିତ ହୋଇ ସ୍ଥାନୀୟ ସରପଞ୍ଚ ଅହଲ୍ୟା ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯେ୍ାଗ ପତ୍ରରେ ଉଲ୍ଲେଖ ଅଛି ଯେ ସାରଙ୍ଗଡ ବଜାର ଦୀର୍ଘ ୨୮ଦିନ ବନ୍ଦ ପରେ ଗତ ଗୁରୁବାର ଦିନ କଣ୍ଟେନମେଣ୍ଟ ଜୋନକୁ କୋହଳ କରିଥିବା ବେଳେ ସାରା ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ପାଇଁ ଘୋଷଣା କରାଯାଇଛି। କିନ୍ତୁ ପୁଣି ସାରଙ୍ଗଡରୁ କରୋନା ପଜିଟିଭ ବାହାରିବା ପରେ ସାରଙ୍ଗଡର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଅଞ୍ଚଳରୁ କରୋନା ପଜିଟିଭ ବାହାରିଛି ସେହି ପାଖାପାଖି ଅଞ୍ଚଳକୁ କଟକଣା ଲାଗୁ କରାଯାଉ ଓ ଅନ୍ୟ ସମସ୍ତ ଅଞ୍ଚଳକୁ ସ୍ୱାଭାବିକ କରାଯାଉ ବୋଲି ଅନୁରୋଧ କରାଯାଇଛି। ସରପଞ୍ଚଙ୍କୁ ବଣିକ ସଂଘର ସଭାପତି କେଶବ ସାହୁ , ସଂପାଦକ ଅଭିମନ୍ୟୁ ସାହୁ , ଉପସଭାପତି ରୋହିତ ମୁଖୀ , କୋଷାଧ୍ୟକ୍ଷ ଟୁନା ପଣ୍ଡା , ପୁରୁଷୋତ୍ତମ ସାହୁ , ଚନ୍ଦ୍ର ଗୌଡ଼ ଓ ଜଗନ୍ନାଥ ପାଢୀ ଓ ଡ଼ୁଗୁ ପାଢୀ ଓ ଅନ୍ୟମାନେ ସାକ୍ଷାତ କରିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ।


