ଲଙ୍କାରେ କରାଯାଏ ଅଭିଷେକ
ତାମିଲନାଡୁର ସବୁଠାରୁ ବଡ ଜିଲ୍ଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍ସିପ୍ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର । ଏହା ବିଶ୍ୱ ପ୍ରସିଦ୍ଧ ମନ୍ଦିର କହିଲେ କିଛି ଭୁଲ୍ ହେବ ନାହିଁ । ତେବେ ଏଠାରେ ପାଳିତ ହେଉଥିବା ୮ ଦିନିଆ ଏକ ପର୍ବରେ ଲଙ୍କାରେ ଅଭିଷେକ କରାଯାଇଥାଏ । ଆଉ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥାଆନ୍ତି । ସୁସ୍ଥ ଜୀବନ କାମନା କରିବାକୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସିଥାଆନ୍ତି । ଲୋକକଥା ଅନୁଯାୟୀ, ଦୀର୍ଘ ୮୫ ବର୍ଷ ହେବ ଏହି ପରମ୍ପରା ଏଠାରେ ଚାଲିଆସୁଛି । ମନ୍ଦିର ପରମ୍ପରା ଅନୁଯାୟୀ, ପ୍ରଥମେ ଏଠାରେ ଥିବା ୩ ବରିଷ୍ଠ ବ୍ୟକ୍ତି ହାତରେ କଙ୍କଣ ପିନ୍ଧି ଥାଆନ୍ତି ଓ ସାରାଦିନ ଉପବାସ ରଖିଥାଆନ୍ତି । ଏହାପରେ ଏମାନଙ୍କୁ ଲଣ୍ଡା କରି ଦିଆଯାଇଥାଏ । ଏହା ପରେ ମନ୍ଦିର ପୂଜାରୀ ଏମାନଙ୍କୁ ଦେବତା ଭଳି ପୂଜା କରିଥାଆନ୍ତି । ପରେ ଏମାନଙ୍କୁ ବିଭିନ୍ନ ସାମଗ୍ରୀରେ ଅଭିଷେକ କରାଯାଇଥାଏ । ଏଥିରେ ରହିଥାଏ ସୁବାସିତ ଚନ୍ଦନ, ଫୁଲ ଇତ୍ୟାଦି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଶେଷରେ ଏମାନଙ୍କୁ ଲଙ୍କାରେ ଅଭିଷେକ କରାଯାଏ । ପ୍ରଥମେ ଏମାନଙ୍କୁ ଲଙ୍କାର ବଟା ଖାଇବାକୁ ଦିଆଯିବା ସହ ଏମାନଙ୍କ ଦେହରେ ଲଙ୍କାର ଲେପ ଦିଆଯାଇଥାଏ । ଏହାପରେ ମନ୍ଦିର ମଧ୍ୟରେ ଥିବା ଜଳନ୍ତା ଅଙ୍ଗାର ମଧ୍ୟରେ ଚାଲିବାକୁ ପଡ଼ିଥାଏ । ଆଉ ଶେଷରେ ନିମ୍ବ ପାଣିରେ ଏମାନଙ୍କୁ ଗାଧୋଇ ଦିଆଯାଇଥାଏ ।


