ଅବହେଳିତ ଅବସ୍ଥାରେ କୁମ୍ଭାରିଆ ଆର୍‌.ଡି.ରାସ୍ତା : ମରାମତି ଅଭାବରୁ ମରଣଯନ୍ତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଅଧିନ ବିକେବିଏମ୍ ରୋଡ୍ ଠାରୁ ଡାଳିମ୍ବଗଢିଆ ଭାୟା କୁମ୍ଭାରିଆ ଆର୍‌.ଡି. ରାସ୍ତା ଅବହେଳିତ ଅବସ୍ଥାରେ ପଡି ରହିଛି । ମରାମତି ଅଭାବରୁ ତାହା ମରଣଯନ୍ତା ପାଲଟିଛି । ଫଳରେ ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ସେଣ୍ଢତୀରା ପଞ୍ଚାୟତର ଏହି ରାସ୍ତା ପୂର୍ବରୁ ପଞ୍ଚାୟତ ଅଧିନରେ ଥିଲା । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ରାସ୍ତା ବିକେବିଏମ୍ ରୋଡ୍ ଠାରୁ ଆରମ୍ଭ ହୋଇ ରାଧାନଗର ପର୍ଯ୍ୟନ୍ତ ଯାଇଛି । ଗତ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲା । ରାସ୍ତାର ନିର୍ମାଣ କାର୍ଯ୍ୟ ବିକେବିଏମ୍ ରୋଡ୍ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ତାହା ରାଧାନଗର ପାଶ୍ୱର୍ରୁ ଆରମ୍ଭ କରାଯାଇଥିଲା । ଫଳରେ ବିକେବିଏମ୍ ରୋଡ୍ ଠାରୁ ଡାଳିମ୍ବଗଢିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତାର ଉନ୍ନତିକରଣ ହୋଇନପାରି ଅବହେଳିତ ଅବସ୍ଥାରେ ପଡି ରହିଛି । ରାସ୍ତା ଖାଲଖମାରେ ପରିଣତ ହୋଇଛି । ଏହି ରାସ୍ତା ଉପରେ କୁମ୍ଭାରିଆ, ତାଳପଦା, ବାଲିଗଢିଆ, ଡାଳିମ୍ବଗଢିଆ, ବିଞ୍ଝା, ରାଧାନଗର, ବରପଦା ଆଦି ଗ୍ରାମର ଶହ ଶହ ଲୋକ ନିର୍ଭର କରନ୍ତି । ଦୈନନ୍ଦିନ ପିଲା ମାନେ କୁମ୍ଭାରିଆ-ବାଲିଗଢିଆ ଅଙ୍ଗନୱାଡି, ତାଳପଦା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଦୋଳପଦୀ ଓ ନିଳୋକ ହାଇସ୍କୁଲକୁ ପାଠ ପଢିବାକୁ ଯାଇଥାନ୍ତି । ସେହିପରି ଏହି ରାସ୍ତା ଉପରେ ନିଳୋକ ରାଇସ୍ ମିଲ୍ ସଂପୂର୍ଣ୍ଣ ନିର୍ଭର କରୁଛି । ବିଭିନ୍ନ ସମୟରେ ମିଲକୁ ଧାନ ଗାଡି ଆସୁଥିବା ବେଳେ ଚାଉଳ ଗାଡି ବାହାରକୁ ଯାତାୟତ କରୁଛି । ବର୍ଷା ଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସେହିପରି ଏହି ରାସ୍ତାରେ କୁମ୍ଭାରିଆ ମହାଦେବ ମନ୍ଦିର ଠାରୁ ଡ୍ରେନେଜ୍‌୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ରାସ୍ତା ଉପରେ ପାଣି ଚାଲୁଥିବାର ଦେଖାଯାଇଛି । ଏହି ରାସ୍ତାର ମରାମତି ନେଇ ଅଞ୍ଚଳବାସୀ ମାନେ ବାରମ୍ବାର ଅଭିଯୋଗ କରିଚାଲିଛନ୍ତି । ଏସଂପର୍କରେ ସମିତି ସଭ୍ୟା କମଳିନୀ ଆଚାର୍ଯ୍ୟଙ୍କୁ ପଚାରିବାରୁ ରାସ୍ତା ମରାମତି ନେଇ ବହୁବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅବଗତ କରାଯାଇଛି ବୋଲି କହିଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହି ରାସ୍ତାର ଉନ୍ନତିକରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ