୧୦ କିଲୋ ଗଂଜେଇ ଜବତ, ଗାଡି ଛାଡି ଦୌଡି ପଳାଇଲେ ୨ ଅଭିଯୁକ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ନୟାଗଡକୁ ଟ୍ରକରେ ଯାଉଥିଲା ଗଂଜେଇ। ଅବକାରୀ ବିଭାଗ ଚଢାଉ କରି ଟ୍ରକକୁ ଠାବ କରିବା ସହ ସେଥିରୁ ୧ କ୍ବିଣ୍ଟାଲ ୧୦ କିଲୋ ଗଂଜେଇ ଜବତ କରିଛି। ହେଲେ ଡ୍ରାଇଭର ସହ ଆଉ ଜଣେ ଗାଡି ଛାଡି ଦୌଡି ପଳାଇଥିଲେ। ସେମାନଙ୍କୁ ଧରିବା ପାଇଁ ବହୁ ସମୟ ଖୋଜାଖୋଜି କରିଥିଲେ ବି ଶେଷରେ ନିରାଶ ହେବାକୁ ପଡିଥିଲା। ମଙ୍ଗଳବାର ସକାଳେ ଫୁଲବାଣୀ-ଭୁବନେଶ୍ବର ରାସ୍ତାରେ କୋଭିଡ ପାସ ଲାଗିଥିବା ଏକ ଟ୍ରକରେ ଗଂଜେଇ ଯାଉଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ଅଧିକ୍ଷକ ବିମ୍ବାଧର ସେଠୀଙ୍କ ନିର୍ଦ୍ଦେଶମତେ ସଦର ଇନସପେକ୍ଟର ଅଜୟ କୁମାର ବେହେରା ସଦଳବଳେ ଟ୍ରକକୁ ‌ଫଲୋ କରିଥିଲେ। ଗଦପଦର ନିକଟରେ ଟ୍ରକକୁ ରାସ୍ତା କଡରେ ଠିଆ କରି ଡ୍ରାଇଭର ଓ ଆଉ ଜଣେ ସେଠାରୁ ଦୌଡି କେଉଁ ଆଡେ ପଳାଇ ଯାଇଥିଲେ। ଚଢାଉରେ କର୍ମଚାରୀ ଅମରଜିତ୍ ସାହୁ,ସଂଜୟ ପାତ୍ର,ମଧୂସୂଦନ ବେହେରା, ସଦାଶିବ ରଣା,ସୁକାନ୍ତ କହଁର ଏବଂ କଂଗ୍ରେସ ବେହେରା ପ୍ରମୁଖ ସାମିଲ ଥିଲେ। ଟ୍ରକଟି କଣ ଜିନିଷ ଧରି ଫୁଲବାଣୀ ଆସିଥିଲା ନାଁ କୋଭିଡ ପାସ ଲଗାଇ ଗଂଜେଇ ନେବାକୁ। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଇନସପେକ୍ଟର ଶ୍ରୀ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ