ସଂଯୋଗ ରାସ୍ତା ଧସିଲା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଫଳରେ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ତଥା ବନ୍ତ ବ୍ଲକ ଟିଲୋ କପାଳୀ ବ୍ରିଜ୍କୁ ସଂଯୋଗ କରୁଥିବା ରାସ୍ତା ଧସି ଯାଇଥିବାର ଦେଖାଯାଇଛି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଗତ ୧୦ ବର୍ଷ ତଳେ ଆରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ଟି ନିର୍ମାଣକାରୀ ସଂସ୍ଥା କାର୍ଯ୍ୟ କରିଯାଇଛନ୍ତି । ତଥାପି ଏହି ରାଜପଥରେ ଆହୁରି ଅନେକ ସ୍ଥାନରେ କାମ ବାକି ରହିଛି । ଗତ ୨ ବର୍ଷ ତଳେ ଟିଲୋ ଜାଗୁଳାଇପଦା ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଜନୈକ ଠିକାଦାରୀ ସଂସ୍ଥା ହାତକୁ ନେଇଛି । ଏହା ମଧ୍ୟରେ ଟିଲୋ ବଡସାହି ଠାରେ କପାଳୀ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ହୋଇଛି । ଗତ ୨ ମାସ ହେବ ବ୍ରିଜ୍ ନିର୍ମାଣ ସରିବା ପରେ ଏହା ଉପରେ ଗାଡିମୋଟର ଓ ସାଧାରଣଲୋକେ ଯାତାୟତ କରୁଛନ୍ତି । ମାତ୍ର ନିର୍ମାଣ କାର୍ଯ୍ୟ ବେଳେ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ ସୁରକ୍ଷା ୱାଲ ତିଆରି କରାନଯାଇ ବାଉଁଶ ଖୁଣ୍ଟ ପୋତି ମାଟି ଓ କ୍ରସର ଡଷ୍ଟରେ ରାସ୍ତା ତିଆରି କରାଯାଇଛି । ସୁରକ୍ଷା ୱାଲ୍ ତିଆରି କରାଯିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ଏହାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଏବେ ବର୍ଷା ଜଳରେ ରାସ୍ତା ଧସି ଯାଇଥିବା ଦେଖାଯାଇଛି । ସେହିପରି ସଠିକ୍ ଜାଗାରେ ବ୍ରିଜ୍ ତିଆରି କରାଯାଇନଥିବାରୁ ଭବିଷ୍ୟତରେ ଟିଲୋ ହରିଜନ ସାହି ବନ୍ୟାଜଳରେ ଭାସିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


