ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ;୧୦ ରୁ ଉର୍ଦ୍ଧ୍ବ ଆହାତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମରେ ଥିବା ନନ୍ଦକିଶୋର ଗୋ – ଶାଳା ଅନୁଷ୍ଠାନର ଜମି  ବିବାଦକୁ କେନ୍ଦ୍ରକରି ଗୁରୁବାର ଅପରାହ୍ନ ରେ ସବର୍ଣ୍ଣ – ଅସବର୍ଣ୍ଣ ୨ ଗୋଷ୍ଠୀ  ଙ୍କ ମଧ୍ୟରେ ସଂଘର୍ଷ କାରଣରୁ ଉଭୟ ଗୋଷ୍ଠୀର ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଛନ୍ତି।ସେମାନଙ୍କୁ  ପ୍ରଥମେ ଭିଷ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଘଟଣା ପରେ  ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି। ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱରେ ଗାଁ ରେ ୨ ପ୍ଲାଟୁନ୍ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି।  ଭିଷ୍ମଗିରି ଗ୍ରାମ ରେ ଥିବା ନନ୍ଦକିଶୋର ଗୋ – ଶାଳା  ଜମିର ମାଲିକାନା  କୁ କେନ୍ଦ୍ରକରି  ଲାଗିରହିଥିବା ବିବାଦ ରୁ ଗୋଷ୍ଠୀ ସଂଘର୍ଷ  ର ସୂତ୍ରପାତ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ପଞ୍ଚାୟତ ଅଧିନରେ ଥିବା ଉକ୍ତ ଜମିରେ ଗ୍ରାମ୍ୟ କମିଟିର ସହମତି ପ୍ରକାରେ ପାର୍କ ଓ ଗୋଷ୍ଠୀ ପାଇଖାନା ପ୍ରଭୃତି ଜନହିତକର ପ୍ରକଳ୍ପ ନିର୍ମାଣ ନିମନ୍ତେ ଗତ କିଛିଦିନ ପୂର୍ବେ ବ୍ଲକ ପ୍ରଶାସନ ପକ୍ଷରୁ ଜାଗା ନିରୂପଣ କରାଯାଇଥିଲା। ଉକ୍ତ ଜମିରେ ବେଆଇନ ଭାବେ ଗତ କିଛିବର୍ଷ ହେଲା ଏକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଛି, ସରକାରୀ ପ୍ରକଳ୍ପ ନିର୍ମାଣ କୁ ବିରୋଧକରି ଉକ୍ତଜମିକୁ ନିଜ ଅକ୍ତିଆର କୁ ନେବାପାଇଁ ଅସବର୍ଣ୍ଣ ଗୋଷ୍ଠୀର ଲୋକେ ଉଦ୍ୟମ ଚଳାଇଛନ୍ତି। ଜମି ନିକଟରୁ ବହୁ ଦୂରରେ ଥିବା ମାଁ ଦୁଆରଶୁଣି ମନ୍ଦିର ପାଇଁ  ବଳପୂର୍ବକ ଉକ୍ତ ଜମିକୁ ଜବରଦଖଲ  ପାଇଁ ବୁଧବାର ରାତିରେ ଅସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ବାଉଁଶ ଘେରା କରିଥିବା ଖବରପାଇ ସବର୍ଣ୍ଣ ଗୋଷ୍ଠୀର ଲୋକେ ଜମି ନିକଟକୁ ଯାଉଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଓ ପୁରୁଷ ବିଭିନ୍ନ ମାରଣାସ୍ତ୍ର ଧରି ସେମାନଙ୍କୁ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ପ୍ରମୋଦ ଗୌଡ, ନିଳାଞ୍ଚଳ ଗୌଡ, ଶଙ୍କର ହାରଣା,ଜିତେନ୍ଦ୍ର ଗୌଡ, ସୀମାଞ୍ଚଳ ପାତ୍ର,ଦେବରାଜ ମହାନ୍ତି, ପାରମେଶୁ ପାତ୍ର,ଏମ୍. ପ୍ରକାଶ, ଭଗବାନ ବକ୍ସି,ଦେବରାଜ ଗୌଡ ପ୍ରମୁଖ ବହୁ ସଂଖ୍ୟକ ବ୍ୟକ୍ତି ଆହାତ ହେବା ସହ ସେମାନଙ୍କ ନିକଟରୁ ସୁନାଚେନ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି।ଅପରପକ୍ଷରେ ସବର୍ଣ୍ଣ ଗୋଷ୍ଠୀର ବ୍ୟକ୍ତିଙ୍କ ଆକ୍ରମଣରେ ଅସବର୍ଣ୍ଣ ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଆହାତ ହୋଇଥିବା ନେଇ ଥାନାରେ ପାଲଟା ଏତଲା ହୋଇଥିବା ଆଇ ଆଇ ସି କହିଛନ୍ତି।ସନ୍ଧ୍ୟାରେ ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର ମୁଖିଆ ମାନଙ୍କୁ ଥାନାକୁ ଡକା ଯାଇ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଆଇ ଆଇ ସି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ