ଶ୍ରୀରାମପୁର ପଞ୍ଚାୟତ ରାସ୍ତା ମରାମତି ନହେଲେ ରାଜ ରାସ୍ତାକୁ ଓଲ୍ହାଇବେ ଗ୍ରାମବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ମାଓ ପ୍ରବଣ ଅଞ୍ଚଳଭାବେ ବେଶ୍‍ ପରିଚିତ। ଉକ୍ତ ପଂଚାୟତ ଅନ୍ତର୍ଗତ ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଖଣ୍ଡେ ନଥିବା ଯୋଗୁଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଂଚାୟତର କଳାମଣିକ ସାହି , ନୂଆସାହି , ଆଦିବାସୀ ସାହି , ଓଡ଼ିଆ ସାହି , କଲୋନି ସାହି , ଦାମପଡ଼ା , ହାଟପଦା ଆଦି ଗ୍ରାମ ଗୁଡ଼ିକ ଯାତାୟତ ପାଇଁ ଲୋକେ ଚିନ୍ତାରେ ପଡ଼ିଛନ୍ତି। ଗତ ୨୦ ବର୍ଷ ତଳେ ଯେଉଁ ରାସ୍ତା ନିର୍ମାଣ ହୋଇଥିଲା ତାହା ବର୍ତ୍ତମାନ ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଥିବା ଯୋଗୁଁ  ସାମାନ୍ୟ ବର୍ଷା ହେଲେ  ଯାତାୟତ ଏକ ପ୍ରକାର ଠପ୍‌ ହୋଇ ପଡ଼ୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଗଭୀର  ଗାତ ସୃଷ୍ଟି ହୋଇଛି , ରାସ୍ତାରେ ଡ଼୍ରେନ୍‍ ର କୌଣସି ସୁବିଧା ନଥିବା ଯୋଗୁଁ ରାସ୍ତାର ଆରମ୍ଭର ଶେଷ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇ ରହିଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁଁ ଅନେକ ଅଞ୍ଚଳବାସୀ ବିଲହୁଡ଼ା ରାସ୍ତାକୁ ନିର୍ଭର କରିଥାନ୍ତି। ବର୍ଷାହେଲେ ଘରେ ଘରେ ମଧ୍ୟ ପାଣିପଶିଯାଇଥାଏ। ବର୍ଷା ଦିନରେ ଏହି ସବୁ ଅଞ୍ଚଳବାସୀ ପଞ୍ଚାୟତକୁ ପିଡ଼ିଏସ୍‍ ଚାଉଳ ମଧ୍ୟ ଆଣିବା କଷ୍ଟକର ହୋଇ ପଡୁଛି। ଏପରିକି ଜରୁରି ସମୟରେ ରାସ୍ତାର ଅବସ୍ଥା ଶୋଚନିୟ ଯୋଗୁଁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର ହୋଇ ପଡୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ଉପରେ ପ୍ରାୟ ୧୦ଟି ଗ୍ରାମର ଅଧିବାସୀ ମାନେ ନିର୍ଭର କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ବର୍ଷା ହୋଇଗଲେ ଏହି ଅଞ୍ଚଳବାସୀଙ୍କର ଚିନ୍ତା ବଢିଯାଇଥାଏ। ତେବେ ରାସ୍ତାର ଅବସ୍ଥା ସଂପର୍କରେ ଅଞ୍ଚଳବାସୀ ସ୍ଥାନୀୟ ସରପଂଚକୁ ବାରମ୍ବାର ଲିଖିତ ଭାବେ ଦାବି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟଗ୍ରହଣ କରାଯାଉନାହିଁ ବୋଲି ଗ୍ରାମର ଶୁବଳ ନାୟକ , ବିସମ୍ବର ନାୟକ , ତାବିକା ସୁନାମାଝୀ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଦାବିପରେ ନ୍ୟାୟ ପାଇନଥିବା ଗ୍ରାମବାସୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ମଧ୍ୟ ଗ୍ରାମର ମିନାଫୁଲ ମଳିକ , ଲଲ ପାଟମାଝୀ , ବହଲ ଗୁଣ୍ଡାମାଝୀ , ଲକିମ୍‍ ବଳିଆରସିଂ , ସିଙ୍ଗୁଟା ମାଝୀ ଓ ବାବୁଲା ପାଲଟାସିଂ ଓ ଅନ୍ୟମାନେ ଚେତାବନି ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ