ପକ୍କା ରାସ୍ତାଟିଏ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର କୁଆଡ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିଲାନି । ରାଜ୍ୟସରକାର ଆମ ଗାଁ ଆମ ବିକାଶ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ସ୍ୱାଧୀନତାର ୭୨ବର୍ଷ ପରେବି ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ହୋଇପାରିନି । ଗାଁଟି ରାଜସ୍ୱ ଗ୍ରାମର ମାନ୍ୟତା ପାଇନଥିବା ବେଳେ ଏହା ସମଣା ଗାଁର ହାମଲେଟ ଭିଲେଜ ଭାବେ ରହି ଆସିଛି । ଏହି ଗାଁରେ ୧୨୪ଟି ପରିବାରର ୬୦୨ଜଣ ଲୋକ ରହୁଥିବାବେଳେ ଗାଁକୁ ତିନୋଟି ରାସ୍ତାରୁ ସଂଯୋଗୀ କରଣ ରାସ୍ତା ଅଛି । ମାତ୍ର ତାହା ଲୋକଙ୍କ ପାଦଚଲା ରାସ୍ତା ଭାବେ ପରିଗଣିତ । ଗୋବିନ୍ଦପୁରରୁ କୁଆଡ ଗ୍ରାମକୁ ୨.୫କିଲୋମିଟର ରାସ୍ତା ଥିଲେବି ବର୍ଷାହେଲେ ରାସ୍ତାରେ ସାଇକେଲ ଟିଏ ମଧ୍ୟ ଯାଇ ପାରେନି । ସେହିପରି ସରିଦାରୁ କୁଆଡକୁ ୧.୫କିଲୋମିଟର ରାସ୍ତା ଅଛି ଓ ମରୁଆ ଆର.ଡି ରାସ୍ତାରୁ କୁଆଡ ଗାଁକୁ ୨.୫କିଲୋମିଟର ରାସ୍ତା ଥିଲେବି ତାହା ଅଣଓସାରିଆ ଓ ମାଟି ରାସ୍ତା ହୋଇଥିବାରୁ ବର୍ଷାଦିନେ ଲୋକମାନେ ବାହାରକୁ ବାହାରି ପାରନ୍ତିନି । ଚଳିତ ଲଘୁଚାପ ବର୍ଷାରେ ତିନୋଟି ଯାକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଲୋକମାନେ ଚାଲିକରି ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଦୈବୀ ଦୁର୍ବିପାକ ବେଳେ ଗାଁ ଭିତରକୁ ଦମକଳ କିମ୍ବା ଆମ୍ବୁଲାନସ ଟିଏ ଯାଇ ପାରୁନି । ଏଣୁ ରାଜ୍ୟ ସରକାର ଏହିଗାଁକୁ ପ୍ରାଥମିକତା ଦେଇ ତୁରନ୍ତ ସବୁଦିନିଆ ପକ୍କା ରାସ୍ତାଟିଏ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


