ଦାମ୍ପତ୍ୟ ବିଚ୍ଛେଦର ଭିନ୍ନ କାରଣ
ଦାମ୍ପତ୍ୟ ଜୀବନ ଅନ୍ତରଙ୍ଗ ହେବା ସହିତ ସମ୍ବେଦନଶୀଳ ମଧ୍ୟ ହୋଇଥାଏ । ଘରେ ସୁଖ ଶାନ୍ତି ବଜାୟ ରଖିବାର ଦାୟିତ୍ୱ ଉଭୟ ପତି-ପତ୍ନୀଙ୍କର ରହିଥାଏ । ତେବେ କେତେକ ସାମାନ୍ୟ କାରଣରୁ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖା ଦେଇଥାଏ । ପ୍ରଯତ୍ନ ନ କଲେ ଏହା ବିଚ୍ଛେଦର କାରଣ ମଧ୍ୟ ପାଲଟିଥାଏ । ସାଧାରଣତଃ ଯୌତୁକ, ଘରୋଇ ହିଂସା, ଅବୈଧ ସମ୍ପର୍କକୁ ନେଇ ଦାମ୍ପତ୍ୟ ଜୀବନରେ ବେଳେବେଳେ କଳହ ସୃଷ୍ଟି ହୋଇଥାଏ । ତେବେ ଏଭଳି କେତେକ ସାମାନ୍ୟ କାରଣ ରହିଛି ଯାହାକି ପରବର୍ତ୍ତୀ ସମୟରେ ଅତି ଗୁରୁତର ହୋଇଥାଏ । ନିଜର କୌଣସି ଅନ୍ତରଙ୍ଗ ବନ୍ଧୁଙ୍କୁ ଉପହାର ଦେବାକୁ ଇଚ୍ଛା କଲେ ଏନେଇ ପାର୍ଟନରଙ୍କ ସହିତ କଥା ହେଲେ ପରବର୍ତ୍ତୀ ସମୟରେ ସନ୍ଦେହ ସୃଷ୍ଟି ହୋଇ ନ ଥାଏ । ସାଧାରଣତଃ ସବୁ ପୁରୁଷ ଚାହାଁନ୍ତି ତାଙ୍କ ପତ୍ନୀ ତାଙ୍କୁ ଗୁରୁତ୍ୱ ଦିଅନ୍ତୁ । ଏହା ଏକ ସାମାନ୍ୟ କାରଣ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନରେ ବିରାଟ ଫାଟ ସୃଷ୍ଟି କରିଥାଏ । ଦାମ୍ପତ୍ୟ ଜୀବନରେ କୌଣସି କଥା ଲୁଚାଇବା ଭଲ ନୁହେଁ । ବହୁ ଦିନ ଧରି ଲୁଚି ରହିଥିବା ମିଛ ହଠାତ୍ ସାମ୍ନାକୁ ଆସିଲେ ମଧୁର ସମ୍ପର୍କରେ ସୃଷ୍ଟି ହୋଇଥାଏ ତିକ୍ତତା । ଜଣଙ୍କର ଅନ୍ୟ ଉପରେ ଭରସା ତୁଟିଯାଏ ।
ରାତିରେ ବେଶି ସମୟ ଲାପଟପ୍ କିମ୍ବା ମୋବାଇଲ୍ରେ ବ୍ୟସ୍ତ ରହିବା, ବାରମ୍ବାର ମେସେଜ୍ ଚେକ୍ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଦୂରତା ବଢ଼ି ଚାଲେ । ତେଣୁ ଏସବୁ ପ୍ରତି ସଚେତନ ହେଲେ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରୁହେ ।