ପଧାନପଡା ପଞ୍ଚାୟତ ଅଫିସ ଗୃହ ନିର୍ମାଣ ନେଇ ଜମି ଚିହ୍ନଟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ଗ୍ରାମ ପଞ୍ଚାୟତର ଅଫିସ ଗୃହ ନିର୍ମାଣ ନେଇ ତହସିଲ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ପତ୍ର ମୂଳେ ତହସିଲଦାର ଇନ୍ଦିରା ସାହୁଙ୍କ ନିର୍ଦ୍ଦେଶ କ୍ରମେ ତହସିଲର ସରକାରୀ ଅମିନ ଅଜାତଶତ୍ରୁ ଦାସ ଜମି ଚିହ୍ନଟ କରିଛନ୍ତି । ପଧାନପଡା ମୌଜାର ଖାତା ନଂ-୧୦୦୭, ପ୍ଲଟ ନଂ-୨୦୯୩, କିଶମ-ରକ୍ଷିତ ଅନାବାଦୀ(ଉନ୍ନତ ଯୋଜନା), ଏରିଆ-୯୮ ଡିସିମିଲ୍ ଜମିକୁ ଚିହ୍ନଟ କରାଯାଇଛି । ଚିହ୍ନଟ ପ୍ରକ୍ରିୟା ବେଳେ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଉକ୍ତ ପଞ୍ଚାୟତର ଅଫିସ କାର୍ଯ୍ୟ ପୁରୁଣା ଘରେ ଚାଲୁଥିବା ବେଳେ କାନ୍ଥ ଭାଙ୍ଗି ଆଁ କରିଛି । ଆବଶ୍ୟକ ଗୃହ ନଥିବାରୁ ଅଫିସ କାର୍ଯ୍ୟ ପରିଚାଳନାରେ ବହୁ ସମସ୍ୟା ଦେଖାଯାଉଛି । ଏବେ ଜମି ଚିହ୍ନଟ ପରେ ନୂତନ ଅଫିସ ଗୃହ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।


