ବିଭିନ୍ନ ଦାବୀ ନେଇ ଅଖିଳ ଭାରତ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ
ବନ୍ତ, (ଚାନ୍ଦିନୀ ମହାନ୍ତି): ବିଭିନ୍ନ ଦାବୀ ନେଇ ମଙ୍ଗଳବାର ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବନ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବୀ ମଧ୍ୟରେ ନିର୍ବାଚନ ପ୍ରତିଶୃତି ପାଳନ ପୂର୍ବକ ୩ ଶହ ମାଗଣା ବିଜୁଳି ପ୍ରଦାନ, ଓଡିଶାକୁ ନିଶାମୁକ୍ତ କରିବା ଏବଂ ମହିଳା ମାନଙ୍କୁ ସୁରକ୍ଷା ଦେବା ଆଦି ରହିଥିଲା। ପ୍ରାରମ୍ଭରେ ବନ୍ତ ଥାନା ଛକ ଠାରୁ ଶତାଧିକ ମହିଳା ହାତରେ ବ୍ୟାନର ଧରି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଅର୍ଥନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଥୀ ରୋଜାଲିନ ସାମ୍ୟବାଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ ଯୋଗ ଦେଇ ଓଡିଶାରେ ଡବଲ ଇଂଜିନ ସରକାର ନିର୍ବାଚନ ସମୟରେ ୩ ଶହ ୟୁନିଟ ମାଗଣା ବିଜୁଳି, ଓଡିଶାକୁ ସମ୍ପୂର୍ଣ ମଦ ଓ ନିଶାମୁକ୍ତ କରିବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ୨ ବର୍ଷରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଓ ମହିଳା ମାନଙ୍କୁ ସମ୍ପୃଣ୍ଣ ସୁରକ୍ଷା ଦେବା ବୋଲି ବିଭିନ୍ନ ପ୍ରତିଶୃତି ଦେଇଥିଲା। ମାତ୍ର ଏହା ମଧ୍ୟରେ ୨ ବର୍ଷ ପୂରଣ ହୋଇ ଯାଇଥିବା ବେଳେ ଏ ସରକାର ପ୍ରତିଶୃତିକୁ ପାଳନ କରିନାହିଁ। ବର୍ତ୍ତମାନ ଓଡିଶା ରାଜ୍ୟ ମଦ ଓ ନିଶା କାରବାରରେ ଦେଶର ୩ୟ ସ୍ଥାନରେ ରହିଛି। ନିଶା ସେବନ କରି ଯୁବ ପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି ବୋଲି କହିଥିଲେ। ସାଥୀ ପ୍ରଭାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ମାଇକ୍ରୋ ଫାଇନାନ୍ସ କମ୍ପାନୀର ସୁଧ ହାର ଶତକଡା ୧୨ରେ ସୀମିତ ରଖିବା, କିସ୍ତି ଆଦାୟ ପାଇଁ ମହିଳା ମାନଙ୍କୁ ନିର୍ଯାତନା ଦେବା ବନ୍ଦ କରିବା ଏବଂ ମହିଳା ମାନଙ୍କ ସୁରକ୍ଷା ନିଷ୍ପତ୍ତି କରିବାକୁ ଦାବୀ କରିଥିଲେ। ଶେଷରେ ଆସନ୍ତା ୮ ତାରିଖ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସବିତା ବିଶ୍ୱାଳ, ଉମାମଣି ଜେନା, ଅନିତା ବେହେରା, ରିତାଞ୍ଜଳୀ ଜେନା, ବର୍ଷାରାଣୀ ନାୟକ, ଅନୁସୟା ସେଠୀ, ଜ୍ୟୋତ୍ସ୍ନାରାଣୀ ନାୟକ, ଜାନକୀ ସେଠୀ, ମାଳତୀ ଜେନା, ସଞ୍ଜୁ ନାଥ, ଜୟନ୍ତୀ ଭୋଳ, ସାବିତ୍ରୀ ସାହୁ, ଭାନୁମତୀ ସାହୁ, ସୁମିତ୍ରା ବାରିକ, ଅନ୍ନପୂର୍ଣ୍ଣା ସାମିଲ ଥିଲେ। ମହେଶ୍ୱର ନାୟକ, ଅଭିମନ୍ୟୁ ସେଠୀ ସହଯୋଗ କରିଥିଲେ।


