ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ରଙ୍କୁ ଧାମନଗର ଏନଏ ସିର ଅତିରିକ୍ତ ଦାୟିତ୍ୱ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ନିଲମ୍ବିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରକ ଡେପୁଟି କଲେକ୍ଟର (ଓଏଏସ) ଦେବବ୍ରତ ମହାପାତ୍ରଙ୍କୁ ଏନ ଏ ସି ର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) ପକ୍ଷରୁ ଅକ୍ଟୋବର ୩ରେ ଜାରି ଆଦେଶ (ପତ୍ର ସଂଖ୍ୟା ୩୧୮) ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଏହି ଆଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ, ଦେବବ୍ରତ ମହାପାତ୍ର ତୁରନ୍ତ ଦାୟିତ୍ୱ ଗ୍ରହଣ କରିବେ। ନିଜର ବର୍ତ୍ତମାନ ଦାୟିତ୍ୱ ସହ ଧାମନଗର ଏନ ଏ ସି ଇଓଙ୍କ ସମସ୍ତ କାର୍ଯ୍ୟଭାର ତୁଲାଇବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ସୂଚନା ରହିଛି। ଏପଟେ ଧାମନଗର ବିଜୁ ଜନତା ଦଳ ଏହି ନିଲମ୍ବନକୁ ସ୍ୱାଗତ କରିଛି। ଧାମନଗର ଏନ ଏ ସି ଅଞ୍ଚଳବାସୀଙ୍କ ଦାବି ଓ ପ୍ରତିବାଦର ସ୍ୱର ଶେଷରେ ସଫଳ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଧାମନଗର ଅଞ୍ଚଳର ବୁଦ୍ଧିଜୀବୀ ଓ ସମସ୍ତ ଜନସାଧାରଣ ଏନ ଏ ସି ର ନୂତନ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।


