କନ୍ଧମାଳରେ ଲଗାଣ ବର୍ଷା ଜାରୀ ସମସ୍ତ ନଦୀରେ ଅକାତକାତ ପାଣି ଭାଙ୍ଗିଲା ଘର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଲଘୁଚାପ ଜନିତ ବର୍ଷାରେ ଗତ ୩୦ ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ଜିଲାର ୧୨ଟି ବ୍ଳକରେ ଭୀଷଣ ବର୍ଷା ଲାଗି ରହିଛି । ଏହି ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲାରେ ଥିବା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବହୁ ସଂଖ୍ୟାରେ ଘର ମଧ୍ୟ ଭାଙ୍ଗିଯାଇଛି। ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଦିଖଣ୍ଡିସାହିରେ ଥିବା କିଛି ସରକାରୀ କ୍ୱାଟର ସମତେ ଜୟରାଜ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ଅଶୋକ ସାସମଲ, ଅଜୟ ଅଧିକାରୀ ଆଦି ବହୁ ପରିବାରଙ୍କ ଘରେ ପାଣି ପଶିଯିବା ଦ୍ୱାରା ଅଗ୍ନିଶମ ବିଭାଗର ସହାୟତାରେ ପମ୍ପ ସାହାଯ୍ୟରେ ପାଣି ନିସ୍କାସନ କରାଯାଇଛି।ସେହିପରି ଆମ୍ବେଦକର ସାହିି, ଜିରିଙ୍ଗପଡା, ପିଅନପଡା ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଜିରିଙ୍ଗିପଡ଼ା ସ୍ଥିତ ପାଣିଟାଙ୍କି ନିକଟରେ ଥିବା ପ୍ରେମଶିଲା ବେହେରାଙ୍କ ଘର ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଛି। ସେହି ସମୟରେ ଘରୁ ସମସ୍ତେ ବାହାରକୁ ଚାଲି ଆସିଥିବା ଯୋଗୁଁ ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଛନ୍ତି। ସେହିଭଳି ଜିଲ୍ଲାର ଅନ୍ୟାନ୍ୟ ବ୍ଳକରେ ଅନେକ ଲୋକଙ୍କ ଘରେ ପାଣି ପଶିବା ସହିତ ଫୁଲବାଣୀର ଜିରିଙ୍ଗପଡାର ଜଣଙ୍କର ସମେତ ମୋଟ ୪ ଜଣଙ୍କର ଘର ଭାଙ୍ଗିବା ସହିତ ଜିଲ୍ଲାର ବିଭିନ୍ନ ବ୍ଳକରେ ଥିବା ୮ ଜଣଙ୍କର ଘର ଭାଙ୍ଗି ଯାଇଥିବା ଜଣାପଡିଛି। ବର୍ଷାଜଳ ଯୋଗୁଁ ଫୁଲବାରୀ ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ଓ ୧୦ ନମ୍ବର ୱାର୍ଡ଼ ସଂପୂର୍ଣ୍ଣଭାବେ ବିଛିନ୍ନ ହୋଇ ରହିଛି। ସୂଚନା ଅନୁସାରେ ବୁଧବାର କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ୧୨୬.୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବାଲିଗୁଡାରେ ସର୍ବାଧିକ ୧୨୯.୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଚକାପାଦରେ ୬୮.୨ମିମି, ଦାରିଙ୍ଗବାଡିରେ ୫୧.୦, ଘୁ.ଉଦୟଗିରିରେ ୬୫.୨, ଖଜୁରିପଡାରେ ୬୭.୮, କୋଟଗଡ ବ୍ଳକରେ ୨୬.୦, କ.ନୁଆଗାଁରେ ୫୫.୪, ଫିରିଙ୍ଗିଆରେ ୧୧୮.୪, ରାଇକିଆରେ ୪୯.୮, ଟିକାବାଲିରେ ୬୦.୦ ଓ ତୁମୁଡିବନ୍ଧରେ ୫୮.୮ ମିଲିମିଟର ବର୍ଷା ହୋଇଥିବା ବେଳେ ମୋଟ ୮୭୫.୬ ମିଲିମିଟର ବର୍ଷା ହୋଇଥିବା ଏବଂ ଜିଲ୍ଲାରେ ହାରାହାରି ୭୨.୯୭ ପ୍ରତିଶତ ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ ବିଭାଗ ଦ୍ୱାରା ରେକର୍ଡ କରାଯାଇଛି।ଏହି ବର୍ଷାରେ ଜିଲ୍ଲାର ଫୁଲବାଣୀ, ଚକାପାଦ, ଖଜୁରିପଡା ଓ ଫିରିଙ୍ଗିଆ ଅଂଚଳରେ ବିଭିନ୍ନ ଲୋକଙ୍କର ୮ଟି ଘର ଭାଙ୍ଗିଥିବା ନେଇ ଜିଲ୍ଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସୁତ୍ରରୁ ଜଣାପଡିଛି। ଆଜିର ପ୍ରବଳ ବର୍ଷାରେ ଜିଲ୍ଲର ବିଭିନ୍ନ ନଦୀ ସମେତ ଫୁଲବାଣୀରେ ଥିବା ସାଲୁଙ୍କୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫୁଲବାଣୀ ଡାକପାଲକୁ ଯିବାପାଇଁ ରହି ଥିବା ଡ୍ୟାମର ଉପରେ ପ୍ରାୟ ୧୦ ଫୁଟ ଉପରେ ପାଣି ପ୍ରବାହିତ ହେଉଛି। ସେଥିପାଇଁ ଡାକପାଲ, ଡାମିଗାଁ ସମେତ ସେହି ଅଂଚଳରେ ଥିବା ଅନେକ ଗ୍ରାମବାସୀ କରୋନା କଟକଣାରେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଫୁଲବାଣୀକୁ ଆସିପାରିନାହାନ୍ତି। ତେବେ ଜିଲ୍ଲା ପ୍ରଶାସନ ତରଫରୁ ବର୍ଷାରେ ଘର ଭାଙ୍ଗିଥିବା ଲୋକଙ୍କୁ ଦରି ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ