ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା
ଛତ୍ରପୁର,( ଦେବଦତ୍ତ ମହାରଣା ): ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରଲଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର ବିକାଶ ମୂଳକ କାର୍ଯ୍ୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗ କୁ ନେଇ ଅନୁଷ୍ଠିତ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଶ୍ରୀ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ,କାର୍ଯ୍ୟ ବିଭାଗର ସଚିବ ଶ୍ରୀ କୃଷ୍ଣ କୁମାର, ମତ୍ସ୍ୟ ଓ ଏ ଆର୍ଡି ବିଭାଗର ସଚିବ ଶ୍ରୀ ଆର୍ ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତକୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମିତ ସବୁ ବନ୍ଦରରେ ଚାଲିଥିବା କାର୍ଯ୍ୟ ଓ ଏହାର ପାରିପାଶ୍ୱିର୍କ ଅଞ୍ଚଳ ଓ ଶିଳ୍ପାୟନ ରେ ଭବିଷ୍ୟତ ପୁଞ୍ଜି ନିବେଶ ସମ୍ପର୍କରେ ବିସ୍ତୃତ ବିବରଣୀ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ ଗୋପାଳପୁର ବନ୍ଦରରେ ଏକ ତରଳ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି )ଟର୍ମିନାଲ ପ୍ରକଳ୍ପ ପାଇଁ ଯୋଜନା ଚାଲିଥିବା ବେଳେ ସାର ଓ ପେଟ୍ରୋଲ କେମିକାଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ୨୦୦୦ କୋଟି ଟଙ୍କା ବିନିଯୋଗ ଯୋଜନା ରହିଛି । ସେହିପରି ଏକ ଖାଇବା ତେଲ ବିଶୋଧନାଗାର ପାଇଁ ମଧ୍ୟ ଯୋଜନା କରାଯାଇଛି ବୋଲି ବୈଠକରେ ଆଲୋଚନା କରାଯାଇଛି । ଗୋପାଳପୁର ବନ୍ଦରକୁ ଲୁହା ପଥର ପରିବହନ ଉପରେ କ୍ୟାପିଂ ପ୍ରସଙ୍ଗ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଲୁହାପଥର ପରିବହନ ଉପରେ କ୍ୟାପିଂ ବନ୍ଦ କରିବା ପାଇଁ ଖଣି ବିଭାଗର ଉପ ନିର୍ଦ୍ଦେଶକ ଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ଏବଂ ଗଙ୍ଗାଭରମ ବନ୍ଦର ଗୁଡିକ ପାଇଁ ଖଣିରୁ ଟ୍ରକ୍ଲୋଡିଂ ଉପରେ କଟକଣା ଲାଗୁନଥିବା ସ୍ଥଳେ ଗୋପଳାପୁର ପାଇଁ କଟକଣା ଲାଗୁ କରାଯାଉଛି । ଫଳରେ ରପ୍ତାନି କାରୀମାନେ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି ଏହାର ପ୍ରଭାବ ବୈଦେଶୀକ ମୁଦ୍ରା ଉପାର୍ଜନ ଉପରେ ପଡୁଛି । ଏହି ପ୍ରସଙ୍ଗରେ ଇସ୍ପାତ ଓ ଖଣି ବିଭାଗ ସହ ବିସ୍ତୃତ ଆଲୋଚନା କରିବା ପାଇଁ ସଚିବ ଓ ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ଅଗ୍ରୱାଲ ନିଜ ପାୱାର–ପଏଣ୍ଟ ଉପସ୍ଥାପନା ମାଧ୍ୟମରେ କୋଭିଡ୍ – ୧୯ ମହାମାରୀ ସମୟରେ ସଫଳତାର ସହ ସୁଚାରୁ ରୁପେ ଜାରି ରହିଥିବା ବନ୍ଦର କାର୍ଯ୍ୟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ସହ ବନ୍ଦର ସମ୍ପ୍ରସାରଣ ପ୍ରସ୍ତାବ ତଥ୍ୟ ମଧ୍ୟ ବର୍ଣ୍ଣନା କରିଥିଲେ । ତେବେ ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ୧୨୦୦ ଏକର ଜମିରର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ବନ୍ଦର କୁ ମାତ୍ର ୩୯୩ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ବନ୍ଦର ଅବଶିଷ୍ଟ ୮୦୦ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ତେବେ ବନ୍ଦରକୁ ଖୁବ ଶୀଘ୍ର ୧୧୯ ଏକର ଜମିର ଏକ ଅଂଶ ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ସରକାର । ଏହି ଆବଣ୍ଟନ ପ୍ରକ୍ରିୟା ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ କୁହାଯାଇଛି । ଏହା ସହ ବୈଠକରେ ବନ୍ଦର କୁ ରାସ୍ତା ଓ ରେଳପଥ ସଂଯୋଗୀକରଣ ପ୍ରସଙ୍ଗରେ ଦୀର୍ଘ ସମୟଧରୀ ଆଲୋଚନା ହୋଇଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଏ ସମ୍ପର୍କୀତ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ରପ୍ତାନି ପ୍ରୋତ୍ସାହନ କମିଟିର ସଭାପତିଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦର ଦ୍ୱାରା ରାଜ୍ୟରୁ ରପ୍ତାନି ବୃଦ୍ଧି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହା ସହ ରାଜ୍ୟରେ ୨୦୨୫ ସୁଦ୍ଧା ଏକ ଲକ୍ଷ କୋଟି ଟଙ୍କାର ରପ୍ତାନୀ କାରବାର ହାସଲ କରିବାର ଲକ୍ଷକୁ ନେଇ ଏକ ନୂଆ ରପ୍ତାନି ନୀତ ପ୍ରସ୍ତୁତି କରୁଛନ୍ତି ସରକାର । ଶ୍ରୀ ତ୍ରିପାଠୀ ରାଜ୍ୟର ରପ୍ତାନି କାରବାର ବୃଦ୍ଧି କରିବା ସହ ଗୋପାଳପୁର ବନ୍ଦରର ବିକାଶ ସହ ଜଡିତ ପ୍ରସଙ୍ଗ ଗୁଡି଼କୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ବୈଠକରେ ଗୁରୁତ୍ୱ ଦେଇଥିଲେ ।


