ଯୁବକଙ୍କ କ୍ଷତବିକ୍ଷତ, ହାତବିହୀନ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶାସନଆମ୍ବଗାଁ- ସାପୁଆପଲ୍ଲୀ ମଧ୍ୟବର୍ତି ଗ୍ରାମ୍ୟ ଜଙ୍ଗଲ ଚାଷଜମି ନିକଟସ୍ଥ ଏକ ବୁଦା ମୂଳରୁ ବୁଧବାର ପୂର୍ବାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ, ହାତବିହୀନ ଗଳିତ ଶବକୁ ଉଦ୍ଧାର କରିଛି । ମୃତକ ଜଣକ ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ପିତବାସ ସେଠି(୫୦) ଓ ସ୍ଥାନୀୟ ଅଂଚଳର ଏକ ଧାନକଳରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଖବର ପାଇ ସାଇଂଟଫିକ୍ ଟିମ ଓ ହିଞ୍ଜିଳି ପୁଳିସ ଘଟଣା ସ୍ଥଳରେ ପଂହଚିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଚର୍ଚ୍ଚା ଜୋର ଧରିଛି ।ପ୍ରକାଶ ଯେ, ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ପିତବାସ ଶନିବାର ସକାଳେ କାମ କରିବାକୁ ଯିବେ ବୋଲି କହି ଘରୁ ବାହାରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ପାରିନଥିଲେ । ବୁଧବାର ଭୋରରୁ ହିଞ୍ଜିଳି ଥାନା ଶାସନଆମ୍ବଗାଁ- ସାପୁଆପଲ୍ଲୀ ମଧ୍ୟବର୍ତି ଗ୍ରାମ୍ୟ ଜଙ୍ଗଲ ତଥା ରାସ୍ତା ପ୍ୱାଶ୍ୱର୍ ଚାଷଜମି ନିକଟସ୍ଥ ଏକ ବୁଦା ମୂଳରେ ବିଲୁଆ, କୁକୁର ଓ ଚିଲ ଘଟଣା ସ୍ଥଳରେ ଚକ୍କର କାଟୁଥିବା ଦେଖି ନିକଟସ୍ଥ ଗ୍ରାମର କିଛି ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଦେଖିବା ବେଳକୁ ବିଲ ମଝିରେ ଥିବା ଏକ ଲଟାବୁଦ ମୂଳରେ ଜଣେ ଯୁବକଙ୍କ କ୍ଷତବିକ୍ଷତ, ହାତବିହୀନ ଗଳିତ ଶବ ପଡ଼ିଥିବାର ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ବାହିନୀ ଓ ସାଇଂଟଫିକ୍ ଟିମ୍ ଘଟଣା ସ୍ଥଳରେ ପଂହଚି ସରଜମିନ ତଦନ୍ତ କରିଥିଲେ । ମୃତଦେହର ବିଭିନ୍ନ ଅଂଶକୁ କୌଣସି ହିସ୍ତ୍ରଜନ୍ତୁ ଆହାର କରିଦେଇଥିବା ଓ ମୁହଁ ସମ୍ପୁର୍ଣ୍ଣ କଳା ପଡ଼ି ଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଥିଲା । ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ପରେ ମୃତକଙ୍କ ପରିଚୟ ଜଣାପଡ଼ିଥିଲା । ମୃତଦେହ ନିକଟରେ ଆଧାରକାର୍ଡ଼, ନୋଟ ବୁକ୍ ପଡ଼ିଥିବା ବେଳେ କିଛି ଦୂରରେ ଗାମୁଛା, ସାର୍ଟ ପଡ଼ିଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗତ କିଛି ମାସ ଧରି ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ଓ ଜୁଆ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସଠିକ ତଥ୍ୟ ଜଣାପଡ଼ିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ