କରୋନା କଟକଣା କୋହଳପରେ ସକ୍ରିୟ ଗଞ୍ଜେଇ ମାଫିଆ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା କଟକଣା ପାଇଁ ଜାରି ହୋଇଥିବା ଲକଡାଉନ୍ ଓ ସଟ୍ ଡ଼ାଉନ୍ ସହିତ ଜିଲାର ପ୍ରତ୍ୟେକ ପ୍ରବେଶ ପଥରେ ନାକା ପୋଷ୍ଟଯୋଗୁଁ ଗତ ଦିନରେ କେବଳ ମାଲ୍ ବୋଝେଇ ଗାଡ଼ି ମାନଙ୍କରେ ହେଉ କିମ୍ବା ଆମ୍ବୁଲାନ୍ସ ଦ୍ୱାରା ଗଞ୍ଜେଇ ଚାଲାଣ ବେଳେ ଧରାପଡୁଥିବା ବେଳେ ବର୍ତ୍ତମାନ ଗତ ୫ ଦିନ ହେଲା ଜିଲାରେ ନାକାପୋଷ୍ଟ ଉଠିଯିବା ସହିତ ପୂର୍ବ ଅପେକ୍ଷା କଟକଣା କୋହଳ ହୋଇଯିବା ଯୋଗୁଁ ଏବେ ସମଗ୍ର ଜିଲାରେ ଗଞ୍ଜେଇ ମାଫିଆ ଓ ଚାଲାଣ କାରି ମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି।ଗତ ୫ ଦିନ ମଧ୍ୟରେ ବାଲିଗୁଡ଼ା , ଗୋଛାପଡ଼ା ଓ ଫିରିଙ୍ଗିଆ ପୁଲିସ୍ ଲଗାତାର ଗଞ୍ଜେଇ ଜବତ କରିବା ସହିତ ଚାଲାଣ କାରି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଫିରିଙ୍ଗିଆ ପୁଲିସ୍ ୫୦ କେଜି ଗଞ୍ଜେଇ ଜବତ କରିବା ସହିତ ୪ ଜଣକୁ ଗିରଫ କରିଥିବା ବେଳେ ଶନିବାର ପୁଣିଥରେ ୨ ଟି ବାଇକ୍ ସହିତ ୨ ଜଣ ଗଞ୍ଜେଇ ଚୋରା ଚାଲାଣ କାରିକୁ ଗିରଫ କରିବାରେ ସଫଳ ହୋଇଛି। ଦୁଇଟି ବାଇକରେ ଦୁଇଜଣ ୫୦ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ବ୍ଲକ ନୂଆପଦର ମନ୍ଦିରଛକ ନିକଟରେ ଗାଡ଼ି ଯାଞ୍ଚ କରିବା ବେଳେ ବାଇକ୍ ସହିତ ଗଞ୍ଜେଇଇ ଜବତ କରିଛି। ଗିରଫ ୨ ଜଣ ହେଲେ ଗୋଛାପଡା ଥାନା କିକିଜୋଡି ଗ୍ରାମର କେଶବ କହଁର ଓ ରଞ୍ଜିତ କହଁର ବୋଲି ପୁଲିସ୍ ପ୍ରକାଶ କରିଛି। ଏହି ମାମଲାରେ ଫିରିଙ୍ଗିଆ ଥାନାରେ କେସ ନଂ ୭୪/୨୦ରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ।