ଯୌତୁକ ମାଗିବା ମହଙ୍ଗା ପଡିଲା, ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ!!
ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଗୁରୁବାର ଦିନ ଯୌତୁକ ମାଗିବା ଅଭିଯୋଗରେ ଛତ୍ରପୁର ଥାନା ଅନ୍ତର୍ଗତ କରାତଳି ଗ୍ରାମର ଅଭିଯୋଗକାରିଣୀଙ୍କ ସ୍ୱାମୀ ଦଣ୍ଡପାଣି ନାହାକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ପ୍ରକାଶଯୋଗ୍ୟ ଯେ, ବିବାହ ସମୟରେ ଏତଲାକାରିଣୀଙ୍କ ବାପା, ଯୌତୁକ ବାବଦରେ ୯୩ ହଜାର ଟଙ୍କା ଓ ଅନ୍ୟ ଉପକରଣ ସବୁ ଦେଇଥିଲେ। କିନ୍ତୁ ବିବାହର ବର୍ଷେ ପରେ ଅଭିଯୁକ୍ତମାନେ ଆଉ ଅଧିକ ୧ଲକ୍ଷ ଟଙ୍କା ଆଣିବା ପାଇଁ ଏତଲାକାରିଣୀଙ୍କୁବାଧ୍ୟ କରିଥିଲେ। ଏ ସଙ୍କ୍ରାନ୍ତରେ ଏତାଲାକାରିଣୀ, ନିଜ ବିଧବା ମାଆଙ୍କୁ ଜଣାଇଥିଲେ ଓ ମାଆ ମଧ୍ୟ ଏତେ ଟଙ୍କା ଦେଇପାରିବେନି ବୋଲି ନିଜ ଅସାମର୍ଥ୍ୟ ପ୍ରକାଶ କରିଥିଲେ। କିନ୍ତୁ ତା’ ପରେ ମଧ୍ୟ ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କୁ ୧ଲକ୍ଷ ଟଙ୍କା ଯୌତୁକ ଆଣିବା ନିମନ୍ତେ ଥରକୁ ଥର ବାଧ୍ୟ କଲେ | ଏଥିରେ ବ୍ୟତିବ୍ୟସ୍ତ ହୋଇ ଅଭିଯୋଗକାରିଣୀ କରାତଳି ଗ୍ରାମ କମିଟି ଆଗରେ ନିଜର ଦୁଃଖ ଜଣାଇଲେ ଓ ଗ୍ରାମ କମିଟି ତା ୦୬-୦୨-୨୦୧୧ ରିଖ ଦିନ ଜଗନ୍ନାଥ ମନ୍ଦିରରେ ଦୁଇ ପକ୍ଷଙ୍କୁ ବସାଇ ସଭା କଲେ ଓ ଉକ୍ତ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଅଭିଯୁକ୍ତଙ୍କୁ ପରାମର୍ଶ ଦେଲେ। କିନ୍ତୁ ଅଭିଯୁକ୍ତମାନେ ଏହି ନିଷ୍ପତ୍ତିକୁ ନ ମାନି ପୁଣି ଏକଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଦେଲେ ଓ ତଥାକଥିତ ଅତ୍ୟାଚାର ଆରମ୍ଭ କରିଦେଲେ। ତେଣୁ ବାଧ୍ୟହୋଇ ଏତାଲାକାରିଣୀ, ଏ ସଂକ୍ରାନ୍ତରେ ଅଭିଯୁକ୍ତମାନଙ୍କ ନାମରେ ଛତ୍ରପୁର ଥାନାରେ ୨୬-୦୨-୨୦୧୧ ରିଖ ଦିନ ଏତଲା ଦେଇଥିଲେ |