ପାରାଦୀପ ଅନ୍ତେବାସୀଙ୍କ କୋଭିଡ୍ ଟେଷ୍ଟ ପାଇଁ ନିବେଦନ
ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପ ଅଞ୍ଚଳରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଦର ନଗରୀ ପାରାଦୀପକୁ କୋରନା ସଂକ୍ରମଣ ରୋକିବାରେ ଜିଲ୍ଲା ପ୍ରଶାସନ, ବନ୍ଦର ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି କରୁଛନ୍ତି । ତଥାପି ସଂକ୍ରମଣ ବଢିବାରେ ଲାଗିଛି । ବନ୍ଦର ଅଞ୍ଚଳର ଲୋକମାନଙ୍କୁ କୋରନା ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ପାରାଦୀପ ଅନ୍ତେବାସୀଙ୍କର ଟେଷ୍ଟ କରିବା ପାଇଁ ପାରାଦୀପ ଯୁବକ ସଂଘ ତରଫରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ।
ପ୍ରକାଶ ଥାଉ କି ବିଶ୍ୱମହାମାରୀ କୋରନା ଆରମ୍ଭରୁ ପାରାଦୀପ ଯୁବକ ସଂଘର ସଦସ୍ୟମାନେ ସଚେତନତା କରିବା ସହ ମାନସିକ ବିକାରଗ୍ରସ୍ତଙ୍କୁ ଖାଦ୍ୟ ବଣ୍ଟନ କରି ଆସୁଛନ୍ତି । ଗତ ଅମ୍ଫାନ ବାତ୍ୟା ଓ ବର୍ତମାନର ବନ୍ୟାରେ ଯୁବକ ସଂଘର ସଦସ୍ୟମାନେ ବନ୍ୟା ପ୍ରଭାବିତଙ୍କୁ ରିଲଫ୍ ପ୍ରଦାନ କରି ପ୍ରଶଂସିତ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଯୁବକ ସଂଘ ପ୍ରଥମ ସଂଗଠନ ଭାବେ ପାରାଦୀପର କଲୋନୀ ଓ ବସ୍ତିବାସିନ୍ଦାଙ୍କର କୋଭିଡ୍ ଟେଷ୍ଟ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିବା ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଏହି ଦାବୀ ପତ୍ର ଦେବା ସମୟରେ କୋଭିଡ ନିୟମକୁ ପାଳନ କରି ପାରାଦୀପ ଯୁବକ ସଂଘର ସଭାପତି ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।