ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ବିନା ହେଲମେଟରେ ଏଣିକି ବାଇକ୍ ଚଳାଇଲେ ପୁଲିସ ଚାଲାଣ କାଟିବ । ବିନା ହେଲମେଟରେ ପେଟ୍ରୋଲ ପକାଇଲେ ରସିଦ ଆସି ଘରେ ପହଞ୍ଚିବ । ଆଉ ମଦ ପିଇ ଗାଡି ଚଳାଇଲେ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ଛତ୍ରପୁର ଉପଖଣ୍ଡରେ ଟ୍ରାଫିକ ନୀୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ସମସ୍ତ ନିୟମକୁ କଡାକଡି କାର୍ଯ୍ୟକାରୀ କରାଯିବ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟ୍ରାଫିକ ନୀୟମ କଡାକଡି କରିବା ଓ କେଉଁ ଉପାୟରେ ଜରିମାନା ଆଦାୟ କାରଯିବ ଏନେଇ ବୈଠକରେ ବିଶଦ୍ ଭାବେ ଆଲୋଚନା ହୋଇଥିଲ।। ନୋ ହେଲମେଟ ନୋ ପେଟ୍ରୋଲ ନିୟମ କଡାକଡି ପାଳନକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପେଟପୋଲ ମାଲିକ ମାନଙ୍କୁ ଅବଗତ କରାଯାଇଛିା ପେଟ୍ରୋ ପମ୍ପରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଫୁଟେଜ୍ ଯାଞ୍ଚ କରାଯିବ । ଯାହାଫଳରେ ଯେଉଁ ବାଇକ୍ ଚାଳକ ବିନା ହେଲମେଟ୍ ରେ ପେଟ୍ରୋଲ ପକାଇବାକୁ ଆସିବେ ସିସିଟିଭି ଫୁଟେଜକୁ ଆଧାର କରି ଚାଲାଣ ପହଞ୍ଚିଯିବ । ପରିବହନ ବିଭାଗ ପକ୍ଷରୁ ଧାର୍ଯ୍ୟ ଜରିମାନା ଟଙ୍କା ପୈଠ କରିବାକୁ ପଡିବ । ଏଥିସହ ଥାନା ପକ୍ଷରୁ ମଧ୍ୟ ଇ-ଚାଲାଣ କାଟିବା ପାଇଁ ମେସିନ ପହଞ୍ଚିଛି । ଫଳରେ ସହରରେ ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ କରାଯାଇ ବିନା ହେଲମେଟ ଓ ଦ୍ରୁତ ଗାଡିରେ ବାଇକ୍ ଚଳାଇବା ସମେତ ବିଭିନ୍ନ ନିୟମ ଉଲ୍ଲଂଘନକାରୀଙ୍କଠୁ ଏହା ଦ୍ୱାରା ଜରିମାନା ଆଦାୟ ହେବ । ସେହିପରି ସରକାରଙ୍କ ନୂଆ ନିୟମ ଅନୁସାରେ ଏଣିକି ମଦ ଚଳାଇ ଗାଡି ଚଳାଉଥିବା ଚାଳକଙ୍କୁ ସିଧା ଗିରଫ କରାଯିବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ଜେଲ ଦଣ୍ଡ ବି ଭୋଗିବାକୁ ହେବ । ସଡକ ସୁରକ୍ଷା ଜୀବନ ରକ୍ଷା , ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଧନ ସମ୍ପତ୍ତି ସହିତ ଜୀବନ ରକ୍ଷା ଉପରେ ଜିଲ୍ଲାପ୍ରଶାସନ ବିଭିନ୍ନ ସଚେତନତା କରି ସଡକ ସୁରକ୍ଷା କରିଆସୁଛନ୍ତି । ଏନେଇ ଆଜି ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସଡକ ସୁରକ୍ଷା ର ବିଭିନ୍ନ ଦିଗ ଉପରେ କହିଥିଲୋ ଛତ୍ରପୁର ଉପଖଣ୍ଡସ୍ତରୀୟ ଜାତୀୟ ରାଜପଥରେ ଚିହ୍ନଟ ହୋଇ ଦୁର୍ଘଟଣା ପ୍ରବଳ ଅଂଚଳ ଗୁଡିକରେ ବ୍ଲାକ ସ୍ପଟ ସ୍ଥାପନ ହେବ । ସେଠାରେ ଏକ ଟ୍ରାଫିକ ପୁଲିସ ରହି ରାତିରେ ରେଡିୟମ ଲାଇଟ ଗାଡି ଗୁଡିକ କୁ ସଚେତନତା କରିବେ । ସେଗୁଡିକ ହେଲା ମାୟାପାଟଣା ଠାରୁ ବଡପଦର , ଚମାଖଣ୍ଡି ଛକ ଠାରୁ ସୀତାନଗର, ଅନନ୍ତପୁର ଛକ ଠାରୁ ରଘୁନାଥପୁର, ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ, ହୁମ୍ମା ଛକ ଠାରୁ ପାଲୁର ଜଙ୍ଗସନ, ସୂର୍ଯ୍ୟନାରାୟଣପୁର ଛକ ଠାରୁ ପୁଇଁତୋଳା ଛକ, ଜି.ଗଣ୍ଡାପଲ୍ଲୀ ଠାରୁ ସାନଘାଟି, କେଶପୁର ଫାୟାର ଷ୍ଟେସନ ଛକ ଠାରୁ ଖଲିକୋଟ ସମେତ ବିଭିନ୍ନ ଜାତୀୟ ରାଜପଥରେ ଥିବା ରାସ୍ତାଗୁଡିକ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ସ୍କୁଲ ଓ କଲେଜ ଗୁଡିକ ବିନା ହେଲମେଟ୍ ଓ ବିନା ଲାଇସେନ୍ସ ରେ ଗାଡି ଚଳାଇ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ରୋକ ଲଗାଯିବ । ସେମାନଙ୍କ ଅଭିଭାବକ ମାନଙ୍କୁ କୁହାଯିବ । ସ୍କୁଲ ଓ କଲେଜ ରେ ଏହି ସଂପର୍କ ସଚେତନତା କରାଯାଉଛି । ଆହୁରୀ ବ୍ୟାପକ ଭାବେ ସଚେତନତା କରାଯିବ । ଟ୍ରେକର, ସିଟିବସ ଏବଂ ବସ୍ ଗୁଡିକ କିପରି ଓଭରଲୋଡରେ ଯାତ୍ରୀ ମାନଙ୍କୁ ନନେବେ ସେଥି ପ୍ରତି ଦୃଷ୍ଟି ଦିଆଯିବ ଏବଂ ଘନ ଘନ ଚଢଉ କରାଯିବ । ଏହି ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ କମିଟି ସଦସ୍ୟ ତଥା ଗଂଜାମ ଏମଭିଆଇ ସମୀର କୁମାର ଦଳାଇ ଯୋଗଦେଇ ସଡକ ସୁରକ୍ଷା ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜ ଗୋପାଳ ରାଓ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ କୁମାର ସ୍ୱାଇଁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଟ୍ରେକର, ମିନିବସ ,ଅଟୋ ଓ ବସ ମାଲିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଭିନ୍ନ ସୁବିନ୍ତିତ ମତାମତ ଦେଇଥିଲେ ।