ୟୁରିଆ ସାରର ଅଭାବି ଓ କଳାବଜାରୀ ପ୍ରତିବାଦରେ ଓଡିଶା କୃଷକ ସଭାର ଆନ୍ଦୋଳନ ଚେତାବନୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ୟୁରିଆ ସାରର ଅଭାବୀ ବିକ୍ରି ଓ କଳା ବଜାରୀ ସମେତ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବନ୍ତ ବ୍ଲକ ଓଡିଶା କୃଷକ ସଭା ପକ୍ଷରୁ ଆଗାମୀ ସପ୍ତାହରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ନାନାବିଧ ଯୋଜନା କରିଚାଲିଛନ୍ତି । ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ ଯୋଗାଇ ଦେବା ପାଇଁ ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ଓ ସମବାୟ ସମିତି ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକର ଚାଷୀ ମାନେ ସରକାରୀ ମୂଲ୍ୟରେ ୟୁରିଆ ସାର ପାଉନଥିବାର ଅଭିଯୋଗ ହୋଇଛି । ୟୁରିଆ ସାରର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ୟାକେଟ୍ ପିଛା ୨୭୦ ଟଙ୍କା ରହିଛି । କିନ୍ତୁ ୟୁରିଆ ସାର ସମବାୟ ସମିତି ଓ ଖୁଚୁରା ସାର ବିକ୍ରୟ କେନ୍ଦ୍ରରେ ମିଳୁନାହିଁ । ଚାଷୀ ୟୁରିଆ ସାରକୁ କଳା ବଜାରରେ ଅଧିକ ମୂଲ୍ୟ ଦେଇ କିଣୁଛି। ଏପରିକି ଉକ୍ତ ସାର ପ୍ୟାକେଟର ମୂଲ୍ୟ ୩୫୦ରୁ ୪୦୦ ଟଙ୍କା ମଧ୍ୟରେ କେତେକଙ୍କ ଠାରେ ମିଳୁ ଥିବାର ଜଣାଯାଇଛି । ଏଭଳି କଳା ବଜାରୀକୁ ରୋକିବା ସହ ପ୍ରଶାସନ ଧାର୍ଯ୍ୟ ଦରରେ ସାର ଯୋଗାଇ ନଦେଲେ ଓଡିଶା କୃଷକ ସଭା ବନ୍ତ ବ୍ଲକ କମିଟି ପକ୍ଷରୁ ସଭାପତି ଫକୀର ଚରଣ ବିଶ୍ୱାଳ, ସଂପାଦକ ସୁବାଷ ଚନ୍ଦ୍ର ବେହେରା, କୃଷକ ସଭା ସଭ୍ୟ ମାର୍କଣ୍ଡ ବାରିକ, କିଶୋର ବେହେରା, ରବିନ୍ଦ୍ର ଜେନା, ଉମାକାନ୍ତ ମହାପାତ୍ର, ଆନନ୍ଦ ଜେନା, ନିରଞ୍ଜନ ନାୟକ, ରମାକାନ୍ତ ସାହୁ, ପବିତ୍ର ସେଠୀ ପ୍ରମୁଖ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।


