ଦନେଇପୁର ପୋଲ ନିର୍ମାଣ ପ୍ରସଙ୍ଗ, ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ 

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) :   ବର୍ଷ ପରେ ବର୍ଷ ବିତିଲା ହେଲେ ସାଳନ୍ଦୀନଦୀରେ ପୋଲ ନିର୍ମାଣ ହେଲାନି । ଫଳରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦନେଇପୁର ଗ୍ରାମବାସୀମାନେ ଏକ ବାଉଁଶ ଚାରକୁ ସାହା ଭରଷା କରି ନଦୀ ପାରହେଉଛନ୍ତି । ଏପରିକି ଛାତ୍ରଛାତ୍ରୀମାନେ ଆଣ୍ଟେ ପାଣିରେ ନଦୀରେପସି ସ୍କୁଲ କଲେଜକୁ ଯାଉଛନ୍ତି । ପୋଲ ନିର୍ମାଣ ପାଇଁ ଦୁଇ ଦୁଇଥର ଶୁଭ ଦିଆଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ପୋଲ କାମ ଆରମ୍ଭ ହେଲାନି । ଏପରିକି ଚଳିତବର୍ଷ ଏହି ପୋଲ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟେଣ୍ଡର ଖୋଲାଯାଉ ନଥିବାରୁ ପୋଲ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି । ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ  ଗ୍ରାମରେ ବାସ କରନ୍ତି ୧୫୦ ପରିବାରର ୮ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ  ଗାଁର ଦକ୍ଷିଣ ଦିଗରେ ବହି ଯାଇଛି ସାଳନ୍ଦୀ ନଦୀ । ନଦୀ ଆରପଟେ ଅଛି ସୋସୋ ଗ୍ରାମ । ସେଠାରେ ବ୍ୟାଙ୍କ, ପୋଷ୍ଟଅଫିସ, ଡାକ୍ତରଖାନା, ଥାନା, ହାଇସ୍କୁଲ, କଲେଜ, ସୋସାଇଟ, ଥିବାବେଳେ ଗାଁର ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେଠାରେ ଥିବା ସ୍କୁଲ କଲେଜ ଓ ଶିଶୁମନ୍ଦିରରେ ଶିକ୍ଷାଲାଭ କରୁଛନ୍ତି ।  ଗ୍ରାମର ୮୦ଭାଗ ଲୋକ ନିୟମିତ ସୋସୋ ଉପରେ ନିର୍ଭର କରିଥାନ୍ତି । ଦେହ ଖରାପ ହେଲେ ନଦୀପାର ହୋଇ ଡାକ୍ତରଖାନାକୁ ଯାଇଥାନ୍ତି । ସଉଦାପତ୍ର ପାଇଁବି ସେମାନେ ନିୟମିତ ସୋସୋ ମାର୍କେଟ ଉପରେ ନିର୍ଭରଶୀଳ ।  କିନ୍ତୁ ଏଭଳି ସ୍ଥିତିରେ ସେଠାକୁ ଯିବା ଆସିବା ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ଗ୍ରାମବାସୀମାନେ ନିଜ ପାରିଶ୍ରମିକରେ ଏକ ବାଉଁଶ ଚାର ପ୍ରତିବର୍ଷ ନିର୍ମାଣ କରି ତା ଉପରଦେଇ ଯାତାୟତ କରିଥାନ୍ତି । ବର୍ଷାଦିନ ହେଲେ ନଦୀରେ ପାଣି ଆସିଲେ ତାହା ଭାଷିଯାଇ ଭାଙ୍ଗିପଡିବାରୁ ବର୍ଷର ୬ମାସ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି ଗ୍ରାମବାସୀ ।  ଏପରିକି ଅଣ୍ଟେ ପାଣିରେ ପସି ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଉଥିବାବେଳେ କିଛି ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ କାନ୍ଧରେ ବସାଇ ନଦୀପାର କରିଥାନ୍ତି । ଯାହା ଦ୍ୱାରାକି ଗ୍ରାମର ଅର୍ଦ୍ଧାଧିକ ପିଲା ଅଧାରୁ ପାଠପଢ଼ା ଛାଡି ବେକାର ହୋଇ ବୁଲୁଛନ୍ତି । ଯାହାର ପଇସାପତ୍ର ଅଛି ସେମାନେ ଗାଡିରେ ପଠାଇ କିମ୍ବା ହଷ୍ଟେଲରେ ରଖାଇ ପିଲାଙ୍କୁ ପଢ଼ାଉଛନ୍ତି । ସେହିପରି ରୋଗୀ ମାନଙ୍କୁ ଖଟିଆରେ ବୋହି ନଦୀ ପାରକରିବାପରେ ଡାକ୍ତରଖାନାରେ ପହଞ୍ଚିଥାନ୍ତି । ଏପରି ନାନା ଦୁର୍ଦ୍ଦିନରେ ଗ୍ରାମବାସୀ କାଳ କାଟୁଥିବାବେଳେ ୩୦ବର୍ଷ ହେଲା ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ରାଜନେତା ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ହାରି ଗୁହାରୀ କରିକରି ଥକିଗଲେଣି । ୧୯୯୯ମସିହାରେ ଥରେ ପାଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିବାବେଳେ ତାହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନଥିବାବେଳେ ଗତବର୍ଷ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇ ମନ୍ତ୍ରୀ ବଦ୍ରିଦାରାୟଣ ପାତ୍ରଙ୍କ ଦ୍ୱାରା ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହେବା ନାଁ ଗନ୍ଧ ନାହିଁ । ଆର.ଡି ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟେଣ୍ଡର ଖୋଲା ଯାଇନି । ଆର.ଡି ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ବାରମ୍ବାର ପୋଲ ନିର୍ମାଣସ୍ଥଳ ପରିଦର୍ଶନ କରି ଯାଉଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତି ନେଇଥିବା  ନିରାକାର ପଣ୍ଡା,  ଗଣେଶ ଚନ୍ଦ୍ର ପାଣିଗ୍ରାହୀ, ଅନନ୍ତ କିଶୋର ପଣ୍ଡା, ପ୍ରଭାତ ପୃଷ୍ଟି, ସୁରଥ ପାଣିଗ୍ରାହୀ, ବାବନ ଭୂୟାଁ, ସନାତନ ପାତ୍ର, ବସନ୍ତ ନାହାକ, ରମେଶ ପଲେଇ, ମାଧବ ପାଣିଗ୍ରାହୀ, ବଙ୍କା ଭୁୟାଁ, ପ୍ରତୀମା ପାଣିଗ୍ରାହୀ, ସୁଲୋଚନା ପାଣିଗ୍ରାହୀ, କନକଲତା ପଣ୍ଡା, ଅନ୍ନପୁର୍ଣ୍ଣା ରାଉତ, ସସ୍ମିତା ପାଣିଗ୍ରାହୀ, ସୁବାସିନୀ ପଣ୍ଡା, ଲକ୍ଷ୍ମୀପ୍ରୀୟା ପୃଷ୍ଟି, ସୁବାସିନୀ ପାଣିଗ୍ରାହୀ, ପାତିଆ ପାଣିଗ୍ରାହୀ, ବବିତା ଭୁୟାଁ ପ୍ରମୁଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ