ପିପିଲି ବିଧାୟକଙ୍କ ଅକାଳ ବିୟୋଗରେ ବିଜେଡି ଛାତ୍ର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
କଳାହାଣ୍ଡି,(ୱାଇଏନ୍ଏସ୍): ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କର ସ୍ମୃତି ଚାରଣ କରାଯାଇଛି । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ | ମହାରଥୀ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ରୋକଠୋକ କଥାବାର୍ତ୍ତା ପାଇଁ ଜଣାଶୁଣା ମହାରଥୀ ସବୁବେଳେ ଲୋକଙ୍କ ପାଇଁ ନିର୍ଭୀକ ଭାବେ କାମ କରୁଥିଲେ । ୧୯୫୫ ମସିହା ଜୁଲାଇ ୪ ରେ ଜନ୍ମ ଗ୍ରହଣ କରିଥିବା ମହାରଥୀ ୧୯୮୫ ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ପରେ ବିଜେଡିରୁ ଲଗାତାର ୬ ଥର ଲଢି ପିପିଲି ବିଧାୟକ ରୂପେ ବିଧାନସଭା ଯାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସେବାରେ ବିଜେଡି ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ,ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଯୁବ ସହସମ୍ପାଦକ ରବି ପଟ୍ଟନାୟକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଯୁବ ନେତା ଅମିତ ଯାଦବ, ସୁଭମ ଶ୍ରୀଚନ୍ଦନ ନାଏକ, ସିତାରାମ ନାୟକ, ଦିନେଶ ବଗର୍ତୀ, ରୋମାଞ୍ଚଳ ମେହେର, କାମାକ୍ଷ ସିଂହଦେଓ, ମହମ୍ମଦ ମୋସିମ, ସାମନ୍ତ ଖମାରୀ, କ୍ଷୀରସିନ୍ଧୁ ନାଏକ, ନନ୍ଦ ନାଏକ, ଲବଣୀ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।


