ନିଖୋଜ ମହିଳାଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଭାଗ୍ୟ ବେହେରା ନାମକ ଜଣେ ମହିଳା ଗତ ଅଗଷ୍ଟ ମାସ ୧୭ ତାରିଖରୁ ହଠାତ ନିଖୋଜ ହୋଇଯାଇଥିଲେ । ଫଳରେ ପରିବାର ଲୋକେ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ନ ପାଇବାରୁ ଏ ନେଇ ଭଞ୍ଜନଗର ଥାନାରେ ଭାଗ୍ୟ ଖଲି ପତ୍ର ତୋଳିବାକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ । ପୋଲିସ ନିଖୋଜ କେସ ନମ୍ବର ୩୬/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଘଟଣାର ଅନେକ ଦିନ ପରେ ସ୍ଥାନୀୟ କଶାପଲ୍ଲୀ ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଅପରାହ୍ନରେ ଉକ୍ତ ଜଙ୍ଗଲର ଏକ ଗଛ ପାଖରେ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ମାନେ ସେଠାକୁ ଯାଇ ଗଳିତ ଶବ ପଡିଥିବା ଦେଖିବାକୁ ପାଇଁଥିଲେ । ଏହା ପରେ ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି । ତେବେ ଭାଗ୍ୟଙ୍କ ମୃତ୍ୟୁ କିପରି ହେଲା ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।