“ନ୍ୟାଟ୍ଗ୍ରୀଡ୍’ର ଆରମ୍ଭ କରାଇବେ ଶାହ, ମୁଖ୍ୟ ରହିବେ ଓଡ଼ିଆ ପୁଅ ଅଶୋକ !
ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବର୍ତ୍ତମାନ ତିହାର ଜେଲରେ ଥିବା ପି. ଚିଦାମ୍ବରମ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ “ନ୍ୟାଟ୍ଗ୍ରୀଡ୍’ । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅତ୍ୟାଧୁନିକ ଗୁଇନ୍ଦା ସଂସ୍ଥା “ନ୍ୟାଟ୍ଗ୍ରୀଡ୍’କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାର ଅଛି । ଗୁରୁବାର ସକାଳେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏ ବାବଦରେ ଶାହଙ୍କୁ ଅବଗତ କରାଇବେ । ତେବେ ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ଓଡ଼ିଆ ଆଇପିଏସ୍ ଅଶୋକ ପଟ୍ଟନାୟକ ଏହାର ସିଇଓ ଅଛନ୍ତି । ସେ ଅବସର ନେବା ପୂର୍ବରୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ତାଙ୍କ ଟିମ୍ ପୂରା ଦମ୍ରେ ଲାଗିଛି । ଭୁବନେଶ୍ୱର ୟୁନିଟ୍-୩ର ଅଶୋକ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ଜ୍ୱାଇଁ । ୨୦୧୬ ମସିହା ଜୁଲାଇରୁ ସେ ଏହି ଦାୟିତ୍ୱରେ ଅଛନ୍ତି । ୨୦୦୭ ମସିହାରେ ସେ ତାଙ୍କ ଶ୍ୱଶୁର ମନମୋହନ ସିଂହଙ୍କଠାରୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ମଧ୍ୟ ଗ୍ରହଣ କରିଥିଲେ । ସେ ମନମୋହନଙ୍କ ଝିଅ ଦାମନ ସିଂହଙ୍କୁ ବିବାହ କରିଛନ୍ତି ।


