ନାଳନର୍ଦ୍ଦମାରେ ପଡୁନି ମଶାତେଲ ! ଆସିକା କଳିଙ୍ଗରୋଡବାସୀଙ୍କୁ ମଶା କରୁଛନ୍ତି କଲବଲ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ପରିସରଭୁକ୍ତ ୧୨ ନମ୍ବର ୱାର୍ଡର କଳିଙ୍ଗରୋଡ ଅଞ୍ଚଳରେ ବିଗତ କିଛି ମାସ ହେଲା ମଶାଙ୍କ ଉପଦ୍ରବ ଦିନକୁ ଦିନ ଆଶତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କଳିଙ୍ଗରୋଡ ଅଞ୍ଚଳରେ ବସବାସ କରୁଥିବା ବହୁ ଜନସାଧାରଣଙ୍କୁ ମଶା କଲବଲ କରିସାରିଲେଣି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ମଶାଙ୍କ ଉପଦ୍ରବ ଦାଉ ସାଧୁଥିବା ଅଭିଯୋଗ ହେଉଛି । ମଶାବଂଶକୁ ଦମନ ପାଇଁ ଆସିକା ପୌର ପରିଷଦ ପକ୍ଷରୁ ବିଗତ କିଛି ଦିନ ହେଲା ବ୍ୟସ୍ତବହୁଳ କଳିଙ୍ଗରୋଡ ସମେତ ଅନ୍ୟ କେତେକ ୱାର୍ଡରେ ମଶାଧୂଆଁ ସ୍ପ୍ରେ ଓ ନାଳନର୍ଦ୍ଦମାରେ ମଶାତେଲ ଛିଞ୍ଚନ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସଂଜ ନଇଁଲେ ଘରେ ହେଉ କି ବାହାରେ, କେଉଁଠିି ବି ମଶାଙ୍କ ଦାଉରୁ ନିସ୍ତାର ମିଳୁନାହିଁ । ଯାହାରି ଫଳରେ ସହରର କେତେକ ୱାର୍ଡର ଜନତାଙ୍କୁ ମ୍ୟାଲେରିଆ ଓ ଫାଇଲେରିଆ ଭଳି ରୋଗର ଭୟ ସୃଷ୍ଟି ହେଲାଣି । ଆସିକା ସହରବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ମଶାବଂଶ ନିପାତ କରିବା ଅଭିଯାନ ଯଦି ସମସ୍ତ ୱାର୍ଡରେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ କରାନଯାଏ ତେବେ ଆଗାମୀ କିଛି ଦିନ ମଧ୍ୟରେ ଆସିକା ସହରାଞ୍ଚଳ ମ୍ୟାଲେରିଆ ଓ ଫାଇଲେରିଆ ପ୍ରବଣ ସହରରେ ପରିଗଣିତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ନାଳନର୍ଦ୍ଦମା ଓ ସନ୍ତସନ୍ତିଆ ଜାଗା ମଶାଙ୍କ ଜନ୍ମସ୍ଥାନ ପାଲଟିଛି । ନାମିଦାମୀ ବ୍ରାଣ୍ଡର ମଶା ଅଗରବତୀ ବି କାମ କରୁନି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ସନ୍ଧ୍ୟା ହେଉ ହେଉ ଘରର ଝରକା କବାଟ ବନ୍ଦ କରିରଖୁଥିବା ଦେଖିବାକୁ ମିଳୁଛି । ସହରର ଅନେକ ପରିତ୍ୟକ୍ତ ଜଳାଶ୍ରୟ, ଅସ୍ୱଚ୍ଛ ପରିବେଶ ମଶାଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୨ ନମ୍ବର ୱାର୍ଡର ନାଳନର୍ଦ୍ଦମା ଗୁଡିକରେ ମଶାତେଲ ସିଞ୍ଚନ ସହ ମଶା ଲାଭ୍ରା ଖାଉଥିବା ଗମ୍ବୁସିଆ ମାଛ ଛାଡିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି । କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଡ୍ରେନ୍ରେ ଜଳ ନିଷ୍କାସନ ସଠିକ୍ ଭାବେ ହୋଇପାରୁନଥିବା ଯୋଗୁଁ ମଶା ବଂଶ ଦିନକୁ ଦିନ କାୟା ବିସ୍ତାର କରିଚାଲିଛନ୍ତି ବୋଲି ଆଲୋଚିତ ହେଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ କେତେକ ୧୨ ନମ୍ବର ୱାର୍ଡରର କଳିଙ୍ଗରୋଡ ଅଞ୍ଚଳର ଜନସାଧାରଣଙ୍କ ଶରୀରରୁ ରକ୍ତ ଶୋଷିବାରେ ପାରଙ୍ଗମ ମଶାଙ୍କ ଦୌରାତ୍ମ୍ୟରେ ବହୁ ବ୍ୟକ୍ତି କଲବଲ ଓ ଅସ୍ତବ୍ୟସ୍ତ ହୋଇଗଲେଣି । ମଶାବଂଶ ନିପାତ ପାଇଁ ପୌର ପରିଷଦ ପକ୍ଷରୁ ଫଗିଂ ମେସିନ୍ ଜରିଆରେ ମଶାଧୁଆଁ ଛଡାଯିବା ସାଙ୍ଗକୁ ନାଳନର୍ଦ୍ଦମା ଗୁଡିକରେ ମଶାତେଲ ମଧ୍ୟ ସ୍ପ୍ରେ କରିବାକୁ ଦାବୀ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ମଶାବଂଶକୁ ଦମନ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


