ଟିମ କ୍ଲିନ ସିଟି ପକ୍ଷରୁ ବନ୍ଦ ଅସହାୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଟିମ ପକ୍ଷରୁ ପ୍ରଥମେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ସରକାରୀ ବାସଭବନ ସମ୍ମୁଖ ରାସ୍ତା କଡ ନାଳ ପାଖରେ ପଡିଥିବା ଜଣେ ଅସହାୟ ବୃଦ୍ଧଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ .କେ. ସି. ଜି ମେଡିକାଲରେ ଭର୍ତ୍ତି କରିଥିଲେ । ଏଥୁପାଇଁ ଟିମ ପକ୍ଷରୁ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପିଙ୍କ ସହାୟତା ଲୋଡ଼ାଯାଇଥିଲା । ଏବଂ ଉଭୟ ଏଥିରେ ସହଯୋଗର ହାତ ବଢ଼ାଇଥିଲେ । ସେହିଭଳି ଆସ୍କା ରୋଡ ସ୍ଥିତ ଗଙ୍ଗାଧର ନଗର ରାସ୍ତାରେ ଜଣେ ବୃଦ୍ଧା ପଡି ଆହତ ହୋଇଯାଇଥିଲେ । ଏନେଇ ଟିମ ସଦସ୍ୟଙ୍କୁ ସୂଚନା ମିଳିବା ମାତ୍ରେ ଟିମର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଟୋ ଯୋଗେ ନଗର ଚିକିତ୍ସାଳୟକୁ ଆଣିଥିଲେ । ପରେ ତାଙ୍କ ଠାରୁ ତାଙ୍କ ଠିକଣା ଓ ପରିବାର ଲୋକଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥଲେ । ପରିବାର ଲୋକଙ୍କ ସହ ଯୋଗାଯୋଗ କରି ତାଙ୍କର ୩ଜଣ ପୁଅଙ୍କୁ ଖବର ଦିଆଯାଇଥିଲା । ପରେ ସେମାନେ ଆସି ଟିମ ସଦସ୍ୟଙ୍କୁ ହାତଯୋଡି ଧନ୍ୟବାଦ ଦେଇଥିଲେ । ଟିମର ପୂର୍ବ ନିଷ୍ପତ୍ତ ପ୍ରକାରେ ଟିମର ସଦସ୍ୟମାନେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସହରରେ ବିଭିନ୍ନ ଛକରେ ଶୋଭାବର୍ତ୍ତନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଓ ନିୟମିତ ରକ୍ଷଣାବେକ୍ଷଣ, ରାସ୍ତାକଡରେ ପଡ଼ି ରହୁଥିବା ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା ଓ ଆଶ୍ରୟ ପ୍ରଦାନ କରିବା ସହିତ ଜିଲ୍ଲା ତଥା ରାଜ୍ୟ ବାହାରୁ ଟ୍ରେନ ଓ ଟ୍ରକ ଯୋଗେ ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଆଣି ଛଡ଼ାଯାଉଥିବା ଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ପୂର୍ବରୁ ୭୬ଜଣ ଅସହାୟଙ୍କୁ ସହାୟତା ଯୋଗାଇ ଟିମ ସୁନାମ ଅର୍ଜନ କରିଥିବା ବେଳେ ଆଜି ପୁଣି ଦୁଇ ଜଣଙ୍କୁ ରାସ୍ତା କଡରୁ ଉଠାଇ ସେବା ପ୍ରଦାନ କରିଛନ୍ତି |


