ନିରବ ମୋଦିଙ୍କ ଭାଇଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍
ନୂଆଦିଲ୍ଲୀ: ପଳାତକ ନିରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଆଜି ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି । ତାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ଏଥିପାଇଁ ବେଲଜିୟମର ନାଗରିକତ୍ୱ ଗ୍ରହଣ କରିଥିବା ନେହାଲ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ଏଭଳି ପଦକ୍ଷେପ ଗ୍ରହଣ କରିଛି ।
ବେଲଜିୟମର ଅନ୍ତରୀପରେ ଜନ୍ମ ଗ୍ରହଣ କରିଥିବା ନେହାଲ ଦୀପକ ମୋଦି ଇଂରାଜୀ, ହିନ୍ଦୀ ଓ ଗୁଜରାଟୀ ଭାଷା ଜାଣିଛନ୍ତି । ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଛନ୍ତି । ଏହାର ତଦନ୍ତ ବେଳେ ଇଡି ନେହାଲ ମୋଦି ପ୍ରମାଣ ନଷ୍ଟ କରିବା ଏବଂ ଏହି ଅର୍ଥ ହେରଫେର କରିବାରେ ତାଙ୍କ ଭାଇ ନିରବ ମୋଦିଙ୍କୁ ସହଯୋଗ କରୁଥିବା ଜାଣିବାକୁ ପାଇଥିଲା । ଏଥିପାଇଁ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ନେହାଲ ଭାଇ ନିରବଙ୍କୁ ସହଯୋଗ କରିଥିବାରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଇଡି ଇଣ୍ଟରପୋଲକୁ କହିଥିଲେ । ଶେଷରେ ଇଣ୍ଟରପୋଲ ନେହାଲଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି । ନେହାର ଆମେରିକାରେ ହୀରା ବ୍ୟବସାୟ କରୁଥିବା ଜଣାପଡ଼ିଛି ।


