କରୋନାରେ ପ୍ରଧାନଶିକ୍ଷକଙ୍କ ପରଲୋକ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର,ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ଶିବାନନ୍ଦ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅରୁଣ କୁମାର ସ୍ୱାଇଁ,ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୁକ୍ରବାର ଫାସି ଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶୋକ ସଭାରେ ସରପଞ୍ଚ ଦିଲ୍ଲୀପ ସେଠୀ,ସମିତି ସଭ୍ୟ ଶିବରାମ ପ୍ରଧାନ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟୁନା ରଣା, ଗ୍ରାମ ରୋଜଗାର ସେବକ ବାବୁଲା ବିଷୋୟୀଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ,ସହାୟିକା ଓ ୱାର୍ଡ଼ ସଭ୍ୟ ବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତ ପ୍ରଧାନଶିକ୍ଷକ ସ୍ମୃତି ଚାରଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ବମୋକେଇ ହାଇସ୍କୁଲରୁ ବଦଳି ହୋଇ ଫାସିଗୁଡ଼ା ଗ୍ରାମ ହାଇସ୍କୁଲ ରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଗତ ପ୍ରାୟ ୧୫ ଦିନ ପୂର୍ବେ ତାଙ୍କୁ ଜ୍ଵର ହେବାରୁ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବୁଧବାର ରାତିରେ ତାଙ୍କ ପରଲୋକ ଘଟିଛି । ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ କୋଳିହଳା ଗ୍ରାମରେ ଜନ୍ମଗ୍ରହଣ କରିଥିବା ପୂର୍ଣ୍ଣଚନ୍ଦ୍ର ପରିବାର ସହ ବ୍ରହ୍ମପୁରରେ ରହୁଥିଲେ । ଜଣେ ଛାତ୍ର ବତ୍ସଳ ଶିିିକ୍ଷକ ଭାବରେ ତାଙ୍କ ସୁନାମ ଥିଲା । ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଥିବା ସହ ଗଞ୍ଜାମ ଜିଲା ଯାଜକ ଭାବେ ସମଗ୍ର ରାଜ୍ୟରେ ପରିଚିତ ଥିଲେ ।


