ବେଆଇନ ଭାବେ ନିର୍ମାଣ ହୋଇଥିବା ଘରକୁ ଭାଙ୍ଗିବା ସହିତ ରାସ୍ତା ଯୋଗାଇ ଦେବା ଦାବିରେ ପତିପତ୍ନୀଙ୍କ ଆମରଣ ଅନଶନ ;ପ୍ରତିଶୃତି ପରେ ଓହରିଲେ ଦମ୍ପତି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ସମ୍ମୁଖରେ ଜାମୁଗାଁ ପଂଚାୟତର ରବିନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । କଂଟୁଣିଆ ବଜାର କମିଟି ଓ ନାଉଗାଁ ଥାନା ହସ୍ତକ୍ଷେପରେ ପରେ ଅନଶନରୁ ଓହରିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ୭ ଜୁଲାଇ ୨୦୨୦ରେ ନିଜ ବାସ ଗୃହକୁ ରାସ୍ତା ପାଇଁ ଉଭୟ ପତି,ପତ୍ନୀ ଆମରଣ ଅନଶନରେ ବସିରହିଥିଲେ । ୮ ଜୁଲାଇ ୨୦୨ ରେ କଂଟୁଣିଆ ବଜାର କମିଟିର ସଭାପତି ବାବାଜୀ ଚରଣ ସ୍ୱାଇଁ ଓ ସରପଂଚ ଲଲାଟେନ୍ଦୁ ପରିଡାଙ୍କ ଠାରୁ ଲିଖିତ ପ୍ରତିଶୃତି ପାଇବା ପରେ ଏହି ଅନଶନ ପ୍ରତ୍ୟାହୃତ ହୋଇଥିଲା । ସରପଂଚ ଓ ବଜାର କମିଟିର ପ୍ରତିଶୃତି ଅନୁସାରେ ଆସନ୍ତା ଗୋଟିଏ ଦିନ ମଧ୍ୟରେ ଜାଗା ମାପ କରାଯାଇ ରବିନ୍ଦ୍ର କୁ ଘରକୁ ଯିବା ପାଇଁ ବାଟ ପ୍ରଦାନ କରାଯିବ ବୋଲି ରବିନ୍ଦ୍ରଙ୍କୁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଦୀର୍ଘ ୩ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା ପ୍ରଦାନ କରାଗଲା ନାହିଁ । ସୂଚନା ଅନୁସାରେ ଉକ୍ତ ଗ୍ରାମର ରବିନ୍ଦ୍ର ସାହୁଙ୍କୁ ଅବରୋଧ ଆଇନ ବଳରେ ୧୯୯୮ ମସିହାରେ ସରକାରଙ୍କ ପକ୍ଷରୁ ୫ ଡିସିମିଲ ଯାଗା ଯୋଗାଇ ଦିଆଯାଇଥିଲା । ଏହି ଯାଗାରେ ଘର ନିର୍ମାଣ କରିବା ସହିତ ବାହାରକୁ ଯିବା ପାଇଁ ବାଟ ମଧ୍ୟ ରହିଥିଲା । ରବିନ୍ଦ୍ରଙ୍କ ଘର ସମ୍ମୁଖରେ ଥିବା ପ୍ଲଟଟି ସରକାରଙ୍କ ଗୋଚର ଜମି ରହିଛି । ଉକ୍ତ ଗୋଚର ଜମି ସହିତ ରବିନ୍ଦ୍ର ଘରକୁ ଯାଇଥିବା ବାଟକୁ ତାଙ୍କ ବଡଭାଇ ଚକ୍ରଧର ସାହୁ ଜବରଦଖଲ କରି ଘର ନିର୍ମାଣ କରୁଥିଲେ । ଯାହାକୁ ନେଇ ପଂଚାୟତ ଫଇସଲା ହୋଇଥିଲେ ମଧ୍ୟ ବଡ ଭାଇ ଚକ୍ରଧର ମାନିନଥିଲେ । ପରେ ରବିନ୍ଦ୍ର ନାଉଗାଁ ତହସିଲଦାରଙ୍କୁ ଏ ସଂର୍ପକରେ ଜଣାଇଥିଲେ । ଘର ନିର୍ମାଣ କରି ସାରିଲା ପରେ ଘରକୁ ଭଙ୍ଗା ଯିବ ବୋଲି ରବିନ୍ଦ୍ରକୁ ତହିସଲଦାର କହିଥିଲେ । ରବିନ୍ଦ୍ର ନାଉଗାଁ ଥାନାରେ ଏ ଘଟଣା ସଂର୍ପକରେ ଜଣାଇବା ପରେ ଥାନା ପକ୍ଷରୁ ଉଭୟଙ୍କୁ ଡକାଇ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଚକ୍ରଧର ଥାନାରେ ହୋଇଥିବା ସମାଧାନ କୁ ମାନି ନଥିଲା । ଏହାପରେ ବଳପୂର୍ବକ ଗୁଣ୍ଡା ଲଗାଇ ରାତାରାତି ଘର ନିର୍ମାଣ କରୁଥିବା ବେଳେ ମାରପିଟ ହୋଇଥିଲା । ଯାହାଫଳରେ ନାଉଗାଁ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ସେମାନଙ୍କର ଜାମିନ ନାମଂଜୁର ହେବାରୁ ଉଭୟ ଜେଲ ଯାଇଥିଲେ । ରବିନ୍ଦ୍ର ଜେଲରେ ଥିବା ସମୟରେ ତାଙ୍କ ସ୍ତ୍ରୀକୁ ଧମକ ଦେଖାଇ ଅସମ୍ପୂର୍ଣ୍ଣ ଘରକୁ ଚକ୍ରଧର ରାତାରାତି ସମ୍ପୂର୍ଣ୍ଣ କରିଥିଲେ । ରବିନ୍ଦ୍ରର ସ୍ତ୍ରୀ ଜୁନ ୭ ତାରିଖ ରାତି ୮ଟା ସମୟରେ ନାଉଗାଁ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାଧିକାରୀ କର୍ଣ୍ଣପାତ କରିନଥିବା ରବିନ୍ଦ୍ର ଙ୍କ ପତ୍ନୀ ପ୍ରକାଶ କରିଥିଲେ । ଏପରିକି ଘର ବାହାରକୁ ରାସ୍ତା ନଥିବାରୁ ଘରୁ ବାହାରି ପାରୁ ନଥିବାରୁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।


