ତିନିମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୦୦ରୁ କମ (୩୬,୪୭୦) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୧୮ରେ ୩୪,୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅଧିକରୁ ଅଧିକ କରୋନା ସଂକ୍ରମିତ ଦୈନିକ ସୁସ୍ଥ ହେବା ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମ ହେବାରେ ଲାଗିଛି । ଆଉ ଏକ ଘଟଣା କ୍ରମରେ ସକ୍ରିୟ ମାମଲା ମଧ୍ୟ ଆଶାତୀତ ୬.୨୫ ଲକ୍ଷକୁ ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ ୬,୨୫,୮୫୭ ଜଣ ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତଙ୍କ ମାତ୍ର ୭.୮୮ ପ୍ରତିଶତ ବୋଲି ଜଣାପଡିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ସଅଳ ଚିହ୍ନଟ, ଦେଶବ୍ୟାପୀ ବ୍ୟାପକ ନମୁନା ପରୀକ୍ଷା ଓ ଦକ୍ଷ ଚିକିତ୍ସା ଭଳି କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ରଣନୀତି ଓ ନିୟମାବଳୀଗୁଡିକର ଅନୁସରଣ ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି । ଏହାଛଡା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ କୋଭିଡ-୧୯ ସଂଗ୍ରାମରେ ନିୟୋଜିତ ସମ୍ମୁଖ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ନିଃସ୍ଵାର୍ଥପର ସେବା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଶତକଡା ୩୫ ଭାଗ ସକ୍ରିୟ ମାମଲା ଦେଶର ମାତ୍ର ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛି । ସୁସ୍ଥତା ହାର ଅଧିକ ହେଉଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୨ ଲକ୍ଷ (୭୨,୦୧,୦୭୦) ଅତିକ୍ରମ କରିଥିବା ବେଳେ ସୁସ୍ଥତା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୬୫,୭୫,୨୧୩ରେ ଆଜି ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୮୪୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଦେଶରେ ଆରୋଗ୍ୟ ହାର ୯୦.୬୨ ପ୍ରତିଶତରେ ପହଞ୍ଚିଛି । ଶତକଡା ୭୮ ଭାଗ ସୁସ୍ଥ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୯ ହଜାର ସୁସ୍ଥ ହୋଇଥିବା ବେଳେ ତା’ପଛକୁ କର୍ଣ୍ଣାଟକରୁ ୮ ହଜାର ସୁସ୍ଥ ହୋଇଛନ୍ତି । ଶତକଡା ୭୬ ଭାଗ ନୂତନ ଭାବେ ଚିହ୍ନଟ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ଜଣାପଡିଛି । କେରଳ ଓ ପଶ୍ଚିମବଙ୍ଗରେ ୪ ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୩ ହଜାରରୁ ଅଧିକ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣ ସଂକ୍ରମିତଙ୍କ ପ୍ରାଣହାନୀ ହୋଇଥିବା ବେଳେ ସେଥିମଧ୍ୟରୁ ଶତକଡା ୮୦ ଭାଗ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । କ୍ରମାଗତ ଭାବେ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା ୫୦୦ରୁ କମ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୮୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ହାର ଦେଶରେ ଶତକଡା ୧.୫୦ ପ୍ରତିଶତ ରେକର୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ