ଛତ୍ରପୁର ପଞ୍ଚାୟତ ସମିତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଛତ୍ରପୁର ବ୍ଲକର ବିକାଶ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଛତ୍ରପୁର ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକର ପିଲାମାନଙ୍କୁ ଦୀର୍ଘ ୩ ବର୍ଷ ହେଲା ପୋଷାକ ଦିଆଯାଇ ନଥିବା ନେଇ କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀଙ୍କ ସମେତ ସମସ୍ତ ଜନପ୍ରତିନିଧିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ସଂକ୍ରାନ୍ତରେ ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କୁ ପଚାରି ବୁଝିଥିବା ବେଳେ ସେ ତାଙ୍କରି ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଗତ ବର୍ଷ ଗୁଡିକରେ ଅଙ୍ଗନବାଡି କର୍ମୀଙ୍କ ଜମାଖାତାକୁ ପିଲାମାନଙ୍କ ପୋଷାକ ନିମନ୍ତେ ଅନୁଦାନ ଦିଆଯାଇଛି । ସେମାନେ ପିଲାମାନଙ୍କୁ ପୋଷାକ ଦେଇନାହାନ୍ତି । ସେହିପରି ଚଳିତ ବର୍ଷ ଅଙ୍ଗନବାଡି କର୍ମୀଙ୍କ ସ୍ଥାନରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ପୋଷାକ ନିମନ୍ତେ ଅନୁଦାନ ଦିଆଯାଇଛି । କୋଭିଡ୍ ପାଇଁ ପିଲାମାନଙ୍କୁ ପୋଷାକ ଦେବାରେ ବିଳମ୍ବ ହୋଇଛି ବୋଲି କହିଥିଲେ । ସେହିପରି ପୂର୍ବ ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରଶ୍ନ ଉଠାଇଥିଲେ । ସେହିପରି ଲକ୍ଷ୍ମୀପୁର, ନରେନ୍ଦ୍ରପୁର ଓ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ବିଗତ ୪ ବର୍ଷ ହେଲା ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯାଇ ନାହିଁ ଯଦ୍ୱାରା ପଞ୍ଚାୟତ ଗୁଡିକରେ ଜନପ୍ରତିନିଧିମାନେ ଆକ୍ରୋଶମୂଳକ ଶିକାର ହେବାକୁ ପଡୁଛି ବୋଲି ବୈଠକରେ ଲକ୍ଷ୍ମୀପୁର ସରପଞ୍ଚ ଏମ୍‌.ନାରସୁମୁଲୁ ରେଡ୍ଡୀ ଅଭିଯୋଗ କରିଥିଲେ । କରାତଳି ତାମ୍ପରା ଠାରେ ଆନ୍ଧ୍ର ମାଫିଆମାନେ ବେଆଇନ ଭାବେ ମାଛ ଚାଷ କରୁଛନ୍ତି । ଏହା ଉପରେ ଅଙ୍କୁଶ ଜାରି କରିବାକୁ ଗତ ବୈଠକରେ ଦାବି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ ଅଭିଯୋଗ କରିଥିଲେ । ସେହିପରି ୮୦ ବର୍ଷ ବୟସରୁ ଅଧିକା ହୋଇଥିଲେ ମଧ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁ ନାହିଁ କିନ୍ତୁ ୬୦ ବର୍ଷ ବୟସର ହିତାଧିକାରୀଙ୍କୁ ଭତ୍ତା ମିଳିଛୁ ବୋଲି ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀଙ୍କ ସମେତ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ଏଥିସହ ରାସନକାର୍ଡରୁ ମୃତ କିମ୍ବା ବିବାହିତ ଝିଅ ହିତାଧିକାରୀଙ୍କୁ ବାଦ୍ କରାଯାଉଛି କିନ୍ତୁ ବିବାହିତ ବୋହୂ କିମ୍ବା ଛୁଆମାନଙ୍କୁ ସଂଯୋଗ କରାଯାଉ ନାହିଁ ବୋଲି ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ସେହିପରି ପଞ୍ଚାୟତ ଗୁଡିକରେ ଥିବା ବିଦ୍ୟାଳୟ ଗୁଡିକୁ ଅନ୍ୟତ୍ର ବିଦ୍ୟାଳୟରେ ମିଶ୍ରଣ କରାଯାଉଛି ଅତ୍ୟନ୍ତ ପଞ୍ଚାୟତ ସରପଞ୍ଚମାନଙ୍କୁ ଅବଗତ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ । ସେହିପରି ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏମ୍‌ନରେଗା ଯୋଜନା ଠାରୁ ଆରମ୍ଭ ଅନ୍ୟାନ୍ୟ ଯୋଜନା ଗୁଡିକ କିପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ଛତ୍ରପୁର ପଞ୍ଚାୟତ ସମିତିର ବିକାଶ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଅମିତା କୁମାରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, କନିଷ୍ଠ ଯନ୍ତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ