କର୍ଣ୍ଣାଟକରେ ଅଭାବନୀୟ ଘଟଣା, ଦଳିତ ବିଜେପି ସାଂସଦଙ୍କୁ ମନ୍ଦିରରେ ପୂରାଇ ଦେଲେନି
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଚିତ୍ରଦୁର୍ଗର ବିଜେପି ସାଂସଦ ଜଣେ ଦଳିତ ହୋଇଥିବାରୁ ଆଜି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ମନ୍ଦିରରେ ତାଙ୍କୁ ପୂରାଇ ଦିଆଯାଉ ନାହିଁ । ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ନାରାୟଣସ୍ୱାମୀ ଆଜି ତୁମାକୁରୁ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀଙ୍କ ସହ ଗସ୍ତ କରିଥିଲେ । ଏହି ଅବସରରେ ନିକଟସ୍ଥ ପାୱାଗଡ଼ା ଗ୍ରାମର ଏକ ମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ସାଂସଦ ବାହାରିଥିଲେ । ତେବେ ସ୍ଥାନୀୟ ଯାଦବ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଗ୍ରାମ ନିକଟରେ ଘେରିଯିବା ସହ ସେ ‘ଅଛୁଆଁ’ ହୋଇଥିବାରୁ ତାଙ୍କୁ ମନ୍ଦିରରେ ପଶିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଯାଦବ ସମ୍ପ୍ରଦାୟର ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ସାଂସଦ ମନ୍ଦିରକୁ ଯାଇ ନପାରି ଫେରି ଆସିଥିଲେ । ପରମ୍ପରା ଅନୁଯାୟୀ ତାଙ୍କୁ ମନ୍ଦିର ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି ସବର୍ଣ୍ଣମାନେ ଜିଦ୍ ଧରିଥିଲେ । ଏହି ଘଟଣାକୁ ନେଇ ଦଳିତ ସମ୍ପ୍ରଦାୟରେ ଉତ୍ତେଜନା ଦେଖିବାକୁ ମିଳିଛି । ନାରାୟଣସ୍ୱାମୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ । ତେବେ ଯେଉଁ ଗ୍ରାମରେ ଘଟଣାଟି ଘଟିଛି ସେଠାକୁ ସେ ଏକ ରାସ୍ତା ନିର୍ମାଣ ଯୋଜନା ଏବଂ ସ୍ୱଚ୍ଛ ପାନୀୟ ଜଳ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯାଇଥିଲେ । ଏହି ସମୟରେ ସେ ଗ୍ରାମର ଏକ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ।


