ପଳସିଂହା ପଂଚାୟତର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଉପରେ ଦୀର୍ଘ ୧୦ବର୍ଷ ଧରି ଚାଲିଛି ଭିଜିଲାନ୍ସ ତଦନ୍ତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତର କେତେକ ପ୍ରକଳ୍ପ କାର୍ଯ୍ୟ ଉପରେ ଦୀର୍ଘ ୧୦ବର୍ଷ ଧରି ତଦନ୍ତ ଚାଲିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଗତ ୨୦୧୦ମସିହା ସେପ୍ଟେମ୍ବରମାସ ୨୯ତାରିଖରେ କଟକ ଭିଜିଲାନ୍ସ ଏସପିଙ୍କ ନିକଟରେ ସଂପୃକ୍ତ ପଂଚାୟତର ୱାର୍ଡସଭ୍ୟ/ସଭ୍ୟାଓ ଜନସାଧାରଣ ଅଭିଯୋଗ କରିଥିଲେ ଯେ ସୂଚନା ଅଧିକାର ଆଇନ ବଳରେ ଅଭିଯୋଗକାରୀ ପାଇଥିବା ତଥ୍ୟ ଅନୁଯାଇ ସେହି ପଂଚାୟତରେ ରାସ୍ତା ନିର୍ମାଣ, ଶିକ୍ଷାନୁଷ୍ଠାନ ଓ ଆଲୋକୀକରଣ ପାଇଁ ମଞ୍ଜୁର ହୋଇଥିବା ସରକାରୀ ଅନୁଦାନସବୁକୁ ବାଟମାରଣା କରାଯାଇଛି । ପ୍ରକୃତରେ ସରକାରୀ ଅନୁଦାନକୁ ବିନିଯୋଗ କରାନଯାଇ କେବଳ କାଗଜପତ୍ରରେ ବିନିଯୋଗ ହୋଇଥିବା ଦର୍ଶାଯାଇ ସେହି ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ସେହି ସରକାରୀ ଅନୁଦାନରେ କେତେକ ପ୍ରକଳ୍ପ ଜମା କରାନଯାଇ ଓ ଅନ୍ୟ କେତେକ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ମଧ୍ୟ ବିଲ କରିନେଇଥିବା ଅଭିଯୋଗ ହୋଇଛି । ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ୨୦୦୮-୦୯ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ସାତପଡା ଠାରୁ ବଡଦାଣ୍ଡ ରାସ୍ତାର ଉନ୍ନତିକରଣ (ମେଟାଲମୋରମ)-୩ଲକ୍ଷ ଟଙ୍କା, ୨୦୦୮-୦୯ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା କୁମାରପାଟଣା ଠାରୁ ଗୋଉପଡା ରାସ୍ତା ଉନ୍ନତିକରଣ ପାଇଁ ୨ଲକ୍ଷ ଟଙ୍କା,୨୦୦୫-୦୬ ଆର୍ଥିକବର୍ଷର ଜିଲ୍ଲା ପରିଷଦ ଅଂଶରୁ ଗରଜଙ୍ଗ ଗ୍ରାମର ନୂଆପୋଖରୀ ଠାରୁ କେନାଲବନ୍ଧ ରାସ୍ତା ମେଟାଲମୋରମ କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଏକଲକ୍ଷ ଟଙ୍କା ଅନୁଦାନର କାର୍ଯ୍ୟ ନିର୍ବାହୀ ଥିଲେ ଶିବ ପ୍ରସାଦ ଭଳ ଯିଏକି ଏବେ ସେହି ପଂଚାୟତର ସମିତିସଭ୍ୟ ଅଛନ୍ତି । ସେହିପରି ଗରଜଙ୍ଗ ଗ୍ରାମର ହନୁମାନ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁର ହୋଇଥିବା ୨୫ହଜାର ଟଙ୍କା ଅନୁଦାନର କାର୍ଯ୍ୟନିର୍ବାହୀ ଥିଲେ ଶିବ ପ୍ରସାଦ ଭଳ ଯିଏକି ଏବେ ସେହି ପଂଚାୟତର ସମିତିସଭ୍ୟ ଅଛନ୍ତି । ଏତଦବ୍ୟତିତ ତେଲିପାଟଣା ଗ୍ରାମରେ ସରସ୍ୱତୀ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ୨୦୦୮-୦୯ରେ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁର ହୋଇଥିବା ୫୦ହଜାର ଟଙ୍କାର ଅନୁଦାନ,୨୦୦୯-୧୦ ଆର୍ଥିକବର୍ଷରେ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ଆମ୍ବପଡା ମହାଦେବ ଠାରୁ ମହନ୍ତପାଟଣା ରାସ୍ତା ଉନ୍ନତିକରଣ ପାଇଁ ୨ଲକ୍ଷ ଟଙ୍କାର ଅନୁଦାନରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ସଂପୂର୍ଣ୍ଣ ପ୍ରକଳ୍ପ ଅର୍ଥକୁ ବିଲ କରିନେଇଥିବା ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏତଦବ୍ୟତିତ ୨୦୦୮-୦୯ ଆର୍ଥିକ ବର୍ଷରେ ସାଂସଦ ପାଣ୍ଠିରୁ ଗରଜଙ୍ଗ ଜେନାସାହି ଠାରୁ କୁମାରପାଟଣା ସିମେଂଟ ଙ୍କକ୍ରୀଟ ରାସ୍ତା ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ୪ଲକ୍ଷ ଟଙ୍କାର ଅନୁଦାନ,ସେହିବର୍ଷ ସାଂସଦ ପାଣ୍ଠିରୁ ମିର୍ଜାପୁର ଠାରୁ ପଥରକଣୀ ଠାକୁରାଣୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୪ଲକ୍ଷ ଟଙ୍କାର ଅନୁଦାନ ୨୦୦୭-୦୮ ଆର୍ଥିକ ବର୍ଷରେ ସାଂସଦ ପାଣ୍ଠିରୁ ପଳସିଂହା ହରିଜନ ସାହି ଠାରୁ ବିଲପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଅର୍ଥରେ ଅତି ନିମ୍ନମାନର ପ୍ରକଳ୍ପ କାର୍ଯ୍ୟ କରାଯାଇ ଫାଇନାଲ ବିଲ କରିନେଇଥିବା ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ୨୦୦୮-୦୯ ଆର୍ଥିକ ବର୍ଷରେ ଖଜୁରୀ ବନ୍ଧ ଠାରୁ ସ୍ମଶାନ ରାସ୍ତା ନିର୍ମାଣ ପାଇଁ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ୨ଲକ୍ଷ ଟଙ୍କା,ସେହି ଆର୍ଥିକ ବର୍ଷରେ ଏକାରାସ୍ତା ପାଇଁ ଏଫ.ଡି.ଆର.ରେ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କା ଓ ସେହି ରାସ୍ତା ପାଇଁ ୨୦୦୯-୧୦ ଆର୍ଥିକ ବର୍ଷରେ ଏଫ.ଡି.ଆର.ରେ ମଞ୍ଜୁର ହୋଇଥିବା ୨ଲକ୍ଷ ଟଙ୍କାର ସରକାରୀ ଅନୁଦାନ କିଭଳି ଖର୍ଚ୍ଚ କରାଗଲା ତାହା ମଧ୍ୟ ତଦନ୍ତ କରାଯିବାକୁ ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ କରାଯାଇଥିଲା । ୨୦୦୯ -୧୦ ଆର୍ଥିକ ବର୍ଷରେ ମଧ୍ୟ ମନରେଗା ଯୋଜନାରେ ସେହି ରାସ୍ତା ନିର୍ମାଣ ପାଇଁ ୯୧ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏହିସବୁ ମହା ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯିବା ପାଇଁ ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ କରାଯାଇଥିଲା । ରାଜେନ୍ଦ୍ର କୁମାର ପରିଡା, ଅଲେଖ ଚନ୍ଦ୍ର ବେହେରା, ଉମେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ଦାଶ, ନିତ୍ୟାନନ୍ଦ ମଳିକ, କୈଳାସ ମଳିକ, ଗୟାଧର ବିଶ୍ୱାଳ, ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ଭିଜିଲାନ୍ସ ଏସପିଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ୨୦୧୨ମସିହା ନଭେମ୍ବରମାସ ୨୩ ଓ ୨୪ତାରିଖରେ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସ୍ଥାନକୁ ପରିଦର୍ଶନ କରି ତଦନ୍ତ କରିଥିଲେ । ପୁନର୍ବାର ଗତ ୨୦୧୩ମସିହା ଅଗଷ୍ଟମାସ ୧୩ତାରିଖରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା । ଉପରୋକ୍ତ ଅଭିଯୋଗର ତଦନ୍ତ ସଂପୂର୍ଣ୍ଣ ହୋଇନଥିବା ସୂଚନା ମିଳିଛି । ଭିଜିଲାନ୍ସ ବିଭାଗର ତଦନ୍ତାଧିନ ଥିବା ଉପରୋକ୍ତ ୨ଟି ପ୍ରକଳ୍ପ କାର୍ଯ୍ୟ କରାନଯାଇ ବିଲ ଉଠାଇ ନେଇଥିବା ବ୍ୟକ୍ତି ପଳସିଂହା ପଂଚାୟତର ବର୍ତ୍ତମାନର ସମିତିସଭ୍ୟ ବୋଲି ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଯଦି ଏବେ ସଂପୃକ୍ତ ସମିତି ସଭ୍ୟଙ୍କୁ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ କରାଯାଏ ତେବେ ସାଧାରଣରେ ଏକ ଧାରଣା ସୃଷ୍ଟି ହେବ ଯେ ଜଣେ ଦୁର୍ନିତୀ ଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗ ଦେଇ ଆହୁରୀ ଦୁର୍ନିତୀ କରିବାକୁ ପ୍ରଶୟ ଦିଆଯାଉଛି । ତେଣୁ ଏସବୁକୁ ଉଚ୍ଚ କତ୍ତୃପକ୍ଷ ନିରପେକ୍ଷ ଭାବରେ ବିଚାର କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜଣେ ର୍ନିବିବାଦୀୟ ସମିତିସଭ୍ୟଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବାର ଏଭଳି ସମୟରେ ଆବଶ୍ୟକତା ରହିଛି ।