ଫସିଗଲେ ସନି ଓ କରିସ୍ମା! କୋର୍ଟରେ ଚାର୍ଜ ଫ୍ରେମ୍
ଜୟପୁର: ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁରଙ୍କ ବିରୋଧରେ ଏକ ରେଳବାଇ କୋର୍ଟ ଚାର୍ଜ ଫ୍ରେମ୍ କରିଛନ୍ତି । ୨୦ ବର୍ଷ ତଳର ଏକ ମାମଲାରେ ଏହି ଦୁଇ ଜଣଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହାଇଛି । ସେତେବେଳେ ଏକ ଫିଲ୍ମର ଶୁଟିଂ ସମୟରେ ଏ ଦୁହେଁ ଏକ ଟ୍ରେନ୍ର ଏମର୍ଜେନ୍ସୀ ଚେନ୍ ଟାଣି ଦେଇଥିଲେ, ଯାହା କି ସମ୍ପୂର୍ଣ୍ଣ ବେଆଇନ ଥିଲା । ସେମାନେ ଟ୍ରେନ୍ର ଚେନ୍ ଟାଣି ଦେବାରୁ ଏହା ୨୫ ମିନିଟ୍ ବିଳମ୍ବରେ ଚାଲିଥିଲା । ରେଳବାଇ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଉଭୟ ସନ୍ନି ଓ କରିସ୍ମା ଏକ ସେସନ୍ସ କାର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସୂଚନା ଅନୁଯାୟୀ, ୨୦୦୯ରେ ବି ଏ ମାମଲାରେ ସେମାନଙ୍କ ବିରୋଧରେ ରେଳବାଇ କୋର୍ଟ ଚାର୍ଜ ଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୨୦୧୦ରେ ଏକ ସେସନ୍ସ କୋର୍ଟ ସେମାନେ ଦୋଷୀ ନୁହନ୍ତି ବାଲି କହିଥିଲେ । ତେବେ ସେପ୍ଟେମ୍ବର ୧୭ ତାରିଖରେ ପୁଣି ରେଳବାଇ କୋର୍ଟ ସେମାନଙ୍କ ନାଁରେ ଚାର୍ଜ ଫ୍ରେମ୍ କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଏହି ମାମଲାର ଶୁଣାଣି ହେବ ।
ସନ୍ନି ଓ କରିସ୍ମାଙ୍କ ବ୍ୟତୀତ ଟିନୁ ବର୍ମା ଓ ସତୀଶ ଶାହ ବି ଏ ମାମଲାରେ ଅଭିଯୁକ୍ତ ଥିଲେ । ତେବେ ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେମାନେ ୨୦୧୦ରେ କୋର୍ଟରେ ଚ୍ୟାଲେଞ୍ଜ୍ କରିନଥିଲେ । ୧୯୯୭ରେ ରାଜସ୍ଥାନର ଅଜମେର ଜିଲ୍ଲାର ଫୁଲେର୍ ନିକଟସ୍ଥ ଏକ ଗାଁରେ ସନ୍ନି ଓ କରିସ୍ମାଙ୍କର “ବଜରଙ୍ଗ’ ଫିଲ୍ମର ଶୁଟିଂ ହାଇଥିଲା ।


