୨୨ ଯାଏଁ କାଁ ଭାଁ ବର୍ଷା, ୨୩ ରୁ ବଢ଼ିବ
ଭୁବନେଶ୍ୱର : ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କାଁ ଭାଁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଶୁକ୍ରବାର ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, କଟକ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ଏବଂ ୨୧ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୨୨ ତାରିଖରେ ସାମାନ୍ୟ କମିବ । ଏହି ଦିନ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ୨୩ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷ କରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ । ପରଦିନ ଅର୍ଥାତ ୨୪ ତାରିଖରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଗତ ୧୨ ଘଣ୍ଟା ମଧ୍ୟରେ ବାରିପଦାରେ ୨୫ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୨୧, ଭବାନୀପାଟଣାରେ ୧୧.୬ ବଲାଙ୍ଗୀର ଓ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୪.୮, ଭୁବନେଶ୍ୱରରେ ୨.୪ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।