ଦେବଦନ୍ତା ଦଳିଦେଲା ବୃଦ୍ଧଙ୍କୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ମଣଦା ରେଞ୍ଜ ନିକଟସ୍ଥ ତାଳବନ୍ଧ ଓ ଚହଲା ବନ୍ୟପ୍ରାଣୀ ରେଞ୍ଜ ସୀମାବର୍ତୀ ଆଲ୍ହାପାଣି ବିଟର ଦିସମବୁରୁ ସଂରକ୍ଷିତ ଜଙ୍ଗଲ ଇଲାକାରେ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧଙ୍କୁ ଦେବଦନ୍ତା ଦଳି ମାରି ଦେଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ମଣଦାରେଞ୍ଜ ଆଲ୍ଲାପାଣି ବିଟ ନିକଟ ମଣଦା ପଂଚାୟତ ଅଧିନ ଆଲ୍ଲାପାଣି ଗ୍ରାମ ବଡ଼ଗୁଡା ସାହିର ଖଡ଼ିଆ ଆଦିବାସୀ ସମ୍ପ୍ରଦାୟର ବୈକୁଣ୍ଠ ଦେହୁରୀ (୫୦) ତାଙ୍କ ସହିତ ନୀଳକଣ୍ଠ ଦେହୁରୀ ଶୁଖିଲା ଜାଳେଣି କାଠ ସଂଗ୍ରହ ପାଇଁ ଗାଁ ସନ୍ନିକଟ ଦିସମବୁରୁ ସଂଗ୍ରକ୍ଷିତ ଜଙ୍ଗଲକୁ ବୁଧବାର ଅପରାହ୍ନରେ ଯାଇଥିଲେ । କିନ୍ତୁ ସେମାନେ ଆବଶ୍ୟକ ଶୁଖିଲା ଜାଳେଣି କାଠ ସଂଗ୍ରହ କରି ଘରକୁ ଫେରିଥିବା ବେଳେ ଅଚାନକ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଦୁହେଁ ହାତୀ ଦୁଇ ଟିକୁ ଦେଖି “କିଂ କର୍ତ୍ତବ୍ୟ ବିମୁଢ଼ ” ହୋଇପଡିଥିଲେ । ହାତୀଟି ବୈକୁଣ୍ଠକୁ ଆକ୍ରମଣ କରି ତଳେ ପକାଇଦେବା ସହ ପିଠି ଓ ମୁଣ୍ଡରେ ଦଳିଦେବା ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା । ଭାଇ ନୀଳକଣ୍ଠ ସେଠାରୁ ହାତୀ କବଳରୁ କୋଣସି ପ୍ରକାରରେ ଖସିଆସି ଗ୍ରାମ ବାସୀଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବୈକୁଣ୍ଠକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ମଣଦା ସି.ଏଚ.ସି କୁ ଅଣାଯାଇଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତାଳବନ୍ଧ ବନାଞ୍ଚଳ ଅଧିକାରିଣୀ ସଦଳବଳେ ଘଟଣାସ୍ଥଳକୁ ପହଂଚି ମୃତ ବୈକୁଣ୍ଠର ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ । ଏବଂ ମୃତକଙ୍କ ବାରିବାରକୁ ୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି । ମୃତ ବୈକୁଣ୍ଠନାଥ ଗରିବ ସୋଇଥିବାରୁ ସରକାରଙ୍କ ନିୟମ ଅନୁସାରେ ବନ୍ୟଜନ୍ତୁ ଆକ୍ରମଣରେ ମୃତକଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।