କେନ୍ଦ୍ରାପଡାରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ କେନ୍ଦ୍ରାପଡାରେ ମହାନ କବୟତ୍ରୀ,ମହିୟସୀ ମହିଳା,ଓଡିଆ ସାହିତ୍ୟର ଅଗ୍ରଗାମୀ ତଥା ଉତ୍କଳ ଭାରତୀ ଡଃ.କୁନ୍ତଳା କୁମାରୀ ସାବତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓଡିଆ ଭାଷା ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କରକମଳରେ ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗଦେଇଥିଲେ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶିକା ତଥା ଯୁଗ୍ମ ଶାସନ ସଚିବ ସଙ୍ଘମିତ୍ରା ଶତପଥୀ ଓ କୁନ୍ତଳା କୁମାରୀ ସାବତଙ୍କ ପରିବାର ଏବଂ ଉତ୍କଳ ଭାରତୀ ସ୍ମୃତି କମିଟି ପକ୍ଷରୁ ମିଳିତ ଭାବରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଦବୋଧନରେ କେନ୍ଦ୍ରାପଡାର ମାଟି କଳା ଓ ସଂସ୍କୃତିର ମାଟି ଦେବଭୂମୀ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ପୀଠକୁ ନେଇ ମହନୀୟ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଜିଲ୍ଲାର କଳା,ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ସେ ସହାୟକ ହେବେ ବୋଲି ପ୍ରକାଶ କରି ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନକରି ମନ୍ଦିର ଓ ତତ ସଂଲଗ୍ନ ପାର୍କର ବିକାଶ ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ଶଚିବ ଶ୍ରୀ ପାଣିଗ୍ରାହୀ ସ୍ୱାଗତଭାଷଣ ପ୍ରଦାନ ଅବସରରେ କୁନ୍ତଳାକୁମାରୀଙ୍କ ଏହି ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ରାଜ୍ୟରେ ସଂସ୍କୃତି ବିଭାଗର ଏହା ତୃତୀୟ ମହିୟସୀ ମହିଳାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରମାଦେବୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ବେହେରା ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରାପଡା ଭଳି ଐତିହ୍ୟ ସଂପନ୍ନ ଜିଲ୍ଲାର ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ଆବଶ୍ୟକ ବିକାଶ ନିମନ୍ତେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଉତ୍କଳ ଭାରତୀ ସ୍ମୃତି କମିଟି ପକ୍ଷରୁ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ,ପଣ୍ଡିତ ହୃଷିକେଶ ରଥ,ମୂର୍ତ୍ତି ନିର୍ମାତା ନରହରୀ ବେହେରା,ପ୍ରଦୀପ କୁମାର ନାୟକ,ନରହରି ପାଣି,ବିମଳ ପ୍ରସାଦ ପରିଡା,ଦେବସ୍ମିତା ପରିଡା ପ୍ରମୁଖଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ମାନୀତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା,ସ୍ମୃତିକମିଟି ସଭାପତି କୁଞ୍ଜବିହାରୀ ପରିଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ପ୍ରଦୀପ କୁମାର ଦାଶ,ରମାକାନ୍ତ ସ୍ୱାଇଁ,ଗଗନବିହାରୀ ଜେନା,ନିରଞ୍ଜନ ବଳ,ବ୍ରଜସୁନ୍ଦର ରାଉତ,ଶେଷଦେବ ଦାସ,କିଶୋର ପ୍ରଧାନ,ଧିରେନ୍ଦ୍ର କୁମାର ଦାସ,ଶକ୍ତିକାନ୍ତ ପାତ୍ର,କରୁଣାକର ଦାସ,ରମାକାନ୍ତ ମଲ୍ଲିକ,ରାଜେଶ ପଣ୍ଡା,ପ୍ରଦୀପ୍ତ କୁମାର ମହାନ୍ତ,ଦେବଦାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ହେମନ୍ତ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଭାବଗ୍ରାହୀ କଳାନିକେତନର କଳାକାର ବିମଳ କିଶୋର ପରିଡାଙ୍କ ସଂଯୋଜନାରେ ସ୍ୱାଗତସଂଗୀତ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ