କରୋନା ଭାଙ୍ଗିଦେଲା ରୋଜଗାର ପନ୍ଥା ; ଆଠମାସ ହେବ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି ପାଲା କଳାକାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସଂପ୍ରତି କରୋନା ମହାମାରୀ କବଳରେ ବିଶ୍ୱ ଆଜି ଛଟପଟ ହେଉଛି । ପାଖାପାଖି ଏକବର୍ଷ ହେବ ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ ଆଜି ବିଶ୍ୱର ଅନୁକୋଣରେ ପହଞ୍ଚି ସାରିଛି । ରୋଗର ଭୟାଭହତାକୁ ଲକ୍ଷ୍ୟ କରି ସରକାର ସଚେତନତା ପଦକ୍ଷେପ ନେଉଥିଲେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ଓଡିଶାରେ ଗତ ଏପ୍ରିଲ ମାସ ଠାରୁ କରୋନା ଆସିବା ପରେ ଅନେକ ଲୋକଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଥିବାବେଳେ ଆର୍ଥିକ ମାନଦଣ୍ଡ ଭାଙ୍ଗିଯାଇଛି । ବିଶେଷ କରି ଯେ କୌଣସି ମଞ୍ଚର କଳାକାରଟିଏ କରୋନା ଯୋଗୁ ଅତ୍ୟଧିକ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଅନେକ ଯାତ୍ରା, ମେଲୋଡି, ଆଲବମ ଜଗତର କଳାକାର ମାନେ ଆଠ ମାସ ହେବ ହାତବାନ୍ଧି ଘରେ ବସିଛନ୍ତି । ଏହାଛଡା ବ୍ଲକ ଅଧିନ ପ୍ରାୟ ୩୦ଗୋଟି ପାଲା ଦଳର ସଦସ୍ୟ ମଧ୍ୟ ରୋଜଗାର ପନ୍ଥା ହରାଇ ଅଭାବ ଅନଟନ ମଧ୍ୟରେ ଗତି କରୁଛନ୍ତି । ମୋଟ ୧୨ଗୋଟି ପାଲା ଦଳ ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କୁ ମଧ୍ୟରୁ ମାତ୍ର୬ଜଣ କଳାକାର ଭତ୍ତା ପାଇବାକୁ ସକ୍ଷମ ହୋଇଛନ୍ତି । ବାକି ଦେଢଶହରୁ ଅଧିକ ପାଲା କଳାକାର କୌଣସି ସରକାର ପ୍ରୋତ୍ସାହନ ପାଇପାରିନାହାଁନ୍ତି । କରୋନା ପୂର୍ବରୁ ପାଲା ଦଳ ଗୁଡିକ ବିଭିନ୍ନ ଗାଁର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରେ ପାଲା ପରିବେଷଣ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ । ଏହା ସହିତ ସରକାରଙ୍କ ପିଠା କାର୍ଯ୍ୟକ୍ରମ ହେଉ କିମ୍ବା ମ୍ୟାଲେରିଆ ସଚେତନତା ସବୁଥିରେ ପାଲା ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୃଷ୍ଣ ନିରାକରଣ, ସମବାୟ ଆପଣଙ୍କ ଦ୍ୱାରେ, ଗୋ ସମ୍ପଦ ସୁରକ୍ଷା ଓ ସ୍ୱଚ୍ଛ ଭାରତ ଭଳି କାର୍ଯ୍ୟକ୍ରମକୁ ପଥପ୍ରାନ୍ତ ପାଲା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଥିଲେ ଗାୟକ ଓ କଳାକାର । ଏସବୁ ଭିତରେ ମାସକୁ ୧୫ରୁ୨୦ଦିନ ପାଲା ଗାଇ କଳାକାରଟିଏ ତାର ପରିବାର ପ୍ରତିପୋଷଣ କରିପାରୁଥିଲା । ହେଲେ କରୋନା ସେମାନଙ୍କ ରୋଜଗାର ଛଢାଇନେଇଥିବାବେଳେ ପିଲାଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ପାଲାକଳାକାରଟିଏ ଆଜି ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛି । ତେଣୁ ଏଭଳି ଏକ ସଙ୍କଟାପର୍ଣ୍ଣ ସମୟରେ ପ୍ରଶାସନ ପାଲା କଳାକାରଙ୍କ ପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ଭଣ୍ଡାରିପୋଖରୀ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ରବିନ୍ଦ୍ର ଜେନା ଓ ସମ୍ପାଦକ ନରେନ୍ଦ୍ର ବିଶ୍ୱାଳଙ୍କ ସମେତ ଯୋଗେନ୍ଦ୍ର ସେନାପତି, ଶମ୍ଭୁନାଥ ରାଉତ, ନିଗମାନନ୍ଦ ମିଶ୍ର, ଚିନ୍ତାମଣୀ ନାୟକ ପ୍ରମୁଖ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ