ଅନନ୍ୟ ସମାଜସେବୀ ପ୍ରତାପ ସାହୁ;ପାଇଥିବା ଅର୍ଥରାଶିରେ ବାଣ୍ଟିଲେ ହର୍ଲିକ୍ସ, ଚାବନପ୍ରାସ ଓ ଭିଟାମିନ୍-ସି ଟାବଲେଟ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସାଧାରଣତଃ ନିଜର ସଫଳତା ପାଇଁ ହେଉ ବା ଉଲ୍ଲେଖନୀୟ ଅବାଦାନ ପାଇଁ ପୁରସ୍କାର ବାବଦରେ ଯଦି କେହି କଛି ଅର୍ଥରାଶି ପାଆନ୍ତି, ତେବେ ଖୁସିିରେ ସେହି ଅର୍ଥରେ ସାଙ୍ଗମାନଙ୍କୁ ମିଠା ବାଣ୍ଟନ୍ତି ଆଉ କେହି କେହି ଭୋଜିଭାତରେ ମଜ୍ଜି ରହନ୍ତି । ଆଉ କେହି ସେହି ଅର୍ଥରେ ନିଜ ପାଇଁ ସୌଖୀନ ଜିନିଷ କିଣିଥାନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ ଘଟାଇ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାଇଥିବା ଅର୍ଥରାଶିକୁ ଏକ ନିଆରା ଢଙ୍ଗରେ ଖର୍ଚ୍ଚ କରିଛନ୍ତି ଅନନ୍ୟ ସମାଜସେବୀ ପ୍ରତାପ ସାହୁ ।ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ ଉତ୍ସବରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରତାପ ସାହୁଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବା ସହିତ ଉପଢୌକନ, ମାନପତ୍ର ଓ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ନିଜ ପାଇଁ କିଛି ନକିଣି ଆଉ କିଛି ଟଙ୍କା ମିଶାଇ ଶ୍ରୀ ସାହୁ ରାସ୍ତାକଡ଼ରେ ଜୀବନ ବିତାଉଥିବା ଗରିବ, ନିରାଶ୍ରୟ ଓ ଅସହାୟ ବ୍ୟକ୍ତିମାନଙ୍କୁ ହର୍ଲିକ୍ସ, ଚାବନପ୍ରାସ ଓ ଭିଟାମିନ୍-ସି ଟାବଲେଟ ବଣ୍ଟନ କରିଥିଲେ । ମହାମାରୀ କରୋନା ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଗରିବ, ଅସହାୟ ଲୋକମାନେ ପେଟରେ ଗଣ୍ଡେ ଦାନା ଦେବା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି । ସେହିପରି କରୋନାରୁ ରକ୍ଷା ପାଇବା ଧନୀଘରର ଲୋକମାନେ ବିଭିନ୍ନ ପ୍ରକାର ଔଷଧ ସହିତ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଉଥିବା ବେଳେ ନିରାଶ୍ରୟମାନଙ୍କ ପାଇଁ ଏହା ସାତସପନ ପାଲଟିଛି । ଏସବୁକୁ ହୃଦୟଙ୍ଗମ କରି ଶ୍ରୀ ସାହୁ ଗତ ତିନିଦିନ ଧରି ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ନିଳାଦ୍ରୀ ବିହାରର ରାସ୍ତାକଡ଼ରେ ଜୀବନ ବିତାଉଥିବା ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ଚାବନପ୍ରାସ, ଭିଟାମିନ୍-ସି ଟାବଲେଟ ସହିତ ୭ ଲିଟର କ୍ଷୀରରେ ୩ କେଜି ହର୍ଲିକ୍ସ ମିଶାଇ ବଣ୍ଟନ କରିଥିଲେ । ପୂର୍ବରୁ ମହାବାତ୍ୟା ଫନୀ, ହୁଡ୍ହୁଡ଼୍ ସମୟରେ ଲୋକମାନଙ୍କୁ ସହଯୋଗର ହାତ ବଢାଇ ଆସିଥିବା ବେଳେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ଶୁଖିଲା ରନ୍ଧାଖାଦ୍ୟ, ବଣ୍ଟନ ସହ ମାସ୍କ, ସାବୁନ, ସର୍ଫ ଏବଂ ଗ୍ଲୁକୋନଡ଼ି ଆଦି ବଣ୍ଟନ କରିବା ସହିତ ଗାଁ ଗାଁ, ଘର ଘର ଓ ସହର ବୁଲି ଲୋକମାନଙ୍କ ଘର, ଦୋକାନ, ସ୍କୁଲ୍, କଲେଜ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ମାଗଣାରେ ସାନିଟାଇଜ କରିଆସୁଛନ୍ତି । ପ୍ରତାପଙ୍କ ଏହି ମହାନତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି ।


