ସ୍ଥାନୀୟ ନିଯୁକ୍ତିକୁ ନେଇ ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟିଠାରେ ସ୍ଥାନୀୟ ନିଯୁକ୍ତିକୁ କେନ୍ଦ୍ରକରି କାଶଭି ଖଣିର ଦୁଇଜଣ କର୍ମଚାରୀଙ୍କୁ କିଛି ମହିଳା ସଂଘବଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡିଛି । ଆହତ ଦୁଇଜଣ କର୍ମଚାରୀ ଗୁରୁତର ଅବସ୍ଥାରେ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି ହୋଇଥିବା ଖବର ହସ୍ତଗତ ହୋଇଛି । ଆହତ କାଶଭି ଖଣିର ମାନବ ସମ୍ବଳ ବିଭାଗର ଆସିଷ୍ଟାନ୍ଟ ଜେନେରାଲ ମ୍ୟାନେଜର ଅନୁପ କୁମାର ରଥ ଖବରଦାତାଙ୍କୁ ସୂଚନା ଦେଇ କହିଛନ୍ତି ଯେ, କାଳିମାଟି ସିଲଯୋଡାଠାରେ ଥିବା କାଶଭି ଇନ୍ଟର ନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡରେ ଦୀର୍ଘ ଦିନ ହେବ ସ୍ଥାନୀୟ ନିଯୁକ୍ତିକୁ କେନ୍ଦ୍ରକରି ସମସ୍ୟା ରହିଥିଲା । କମ୍ପାନି ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଅଛି । ପ୍ରଥମ ପର୍ଯ୍ୟାୟରେ ୩୦୭ ଜଣ ସ୍ଥାନୀୟ ଲୋକଙ୍କୁ ଏକ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଅଛି । ଦ୍ୱିତୀୟ ପର୍ଯ୍ୟାୟ ଶ୍ରମିକ କର୍ମଚାରୀ ନିଯୁକ୍ତି ନେଇ ଉକ୍ତ ଅଂଚଳରେ ଗଢି ଉଠିଥିବା ଆଦିବାସୀ କଲ୍ୟାଣ ସମିତିର ବରିଷ୍ଠ କର୍ମକର୍ତା ସୁଶାନ୍ତ କୁମାର ଖିଲାରଙ୍କ ସହିତ ଆଲୋଚନା କରାଯିବାର ସ୍ଥିରୀକୃତ ହୋଇଥିଲା । ଅନୁପ କୁମାର ରଥ କାଳିମାଟି ଗ୍ରାମପଂଚାୟତ କାର୍ଯ୍ୟାଳୟରେ ବୁଧବାର ଆଲୋଚନା କରିବାପାଇଁ ସୁଶାନ୍ତ ଖିଲାରଙ୍କୁ ଡକାଇଥିଲେ । ସୁଶାନ୍ତ ଖିଲାର କାର୍ଯ୍ୟାଳୟକୁ ନଆସିବାରୁ ଏଜିଏମ ରଥ ଖଣିର ଆସିଷ୍ଟାନ୍ଟ ମ୍ୟାନେଜର ବିଜୟାନନ୍ଦ ଗିରିିଙ୍କ ସହିତ ଏକ ଗାଡି ରେ ସିଲଯୋଡା ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ କିଛି ମହିଳା ସଂଘବଧ ହୋଇ ତାଙ୍କ ଗାଡିକୁ ଅଟକାଇ ଠେଙ୍ଗାରେ, ଲୁହା ରଡରେ ଏବଂ ହାତୁଡିରେ ଅନୁପ ରଥଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ପେଟ୍ରୋଲ ଢାଳି ଜାଳି ଦେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ସହିତ ଥିବା ବିଜୟାନନ୍ଦ ଗିରିଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଥିଲେ । ପ୍ରାଣ ବିକଳରେ ଅନୁପ ରଥ ସେଠାରୁ ଦୌଡି ପଳାଇଯାଇଥିବା ବେଳେ ସୁଶାନ୍ତ ଖିଲାରଙ୍କ ଲୋକମାନେ ବିଜୟାନନ୍ଦ ଗିରିଙ୍କୁ ଅଟକାଇ ରଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କର କବଳରୁ ବିଜୟାନନ୍ଦ ଗିରିଙ୍କୁ ଉଦ୍ଧାର କରିଥିଲା । ଏ ନେଇ ବାମେବାରୀ ଥାନାରେ ପ୍ରାୟ ୧୭ ଜଣ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖଣି କମ୍ପାନି ବାହର ଅଂଚଳର ଶ୍ରମିକଙ୍କୁ ଆଣି ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦେଉଥିବା ଘଟଣାକୁ ବିରୋଧ କରାଯିବାରୁ ତା ୨୫-୦୯-୨୦୨୦ରେ ସୁଶାନ୍ତ ଖିଲାରଙ୍କୁ ଖଣିର ସପକ୍ଷବାଦୀମାନେ ପ୍ରବଳ ମାଡ ମାରିଥିଲେ ।


