କେନ୍ଦ୍ରାପଡା ସାଇକେଲ କ୍ଲବର ପଲିଥିନ ସଚେତନତା ର୍ୟାଲି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ରବିବାର ଏକ ସଚେତନତା ର୍ୟାଲି ସହରରେ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ର୍ୟାଲିର ଶୁଭାରମ୍ଭ କରିଥିଲେ । କେନ୍ଦ୍ରାପଡା ସହରରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଯୁବ ସମାଜକୁ ସାଇକେଲ ଚାଳନାର ଆବଶ୍ୟକତା ସମ୍ପର୍କରେ ଏହି ଅଭିଯାନ ଉତ୍ସାହିତ କରିବ ବୋଲି ଜିଲାପାଳ ଶ୍ରୀ ବର୍ମା ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଓ କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ସାଇକେଲରେ ସହର ପରିକ୍ରମା କରିଥିଲେ । ପୁରୁଣାବସଷ୍ଟାଣ୍ଡଠାରୁ ଏହି ସାଇକେଲ ର୍ୟାଲି ବାହାରି ନୂଆବସଷ୍ଟାଣ୍ଡ, ତିନିମୁହାଣୀ, ଗୁଲନଗର, ଗରାପୁର ପ୍ରଭୃତି ଅଞ୍ଚଳ ପରିକ୍ରମାକରି ଜିଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଫେରିଆସିଥିଲା । ଏହି ସାଇକେଲ ର୍ୟାଲିରେ ଜିଲାର ସାମ୍ବାଦିକ, ସମାଜସେବୀ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରତିମାସର ଦ୍ୱିତୀୟ ରବିବାର କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଏହି ର୍ୟାଲିର ଆୟୋଜନ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପରୀକ୍ଷିତ ପାତ୍ର, ଚିତ୍ତରଞ୍ଜନ ଦାସ,ଲକ୍ଷ୍ମୀକାନ୍ତ ନାୟକ, ପ୍ରଶାନ୍ତ ନାୟକ, ରାଧାକାନ୍ତ ମହାନ୍ତି, ଜଗନ୍ନାଥ ଧଳ, ମନ୍ମଥ ରାଉତ, ବିରେନ୍ଦ୍ର କୁମାର ଦାସ, ଏମ.ଡି ଜାହିଦ୍ ଖାଁନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମାତୃଦତ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । “ପଲିଥିନ ଛାଡିବା, ପରିବେଶ ଗଢିବା” ଥିଲା ଏହି ର୍ୟାଲିର ଜନସାଧାରଣଙ୍କୁ ମୁଖ୍ୟ ବାର୍ତ୍ତା ।


